ଏପ୍ରିଲ ପହିଲାରୁ ଘଣ୍ଟାକରେ ଜମି କାଗଜପତ୍ର

ଭୁବନେଶ୍ୱର: ଜମିବାଡ଼ି କାଗଜପତ୍ର ପାଇଁ ଏଣିକି ଆଉ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ସବରେଜିଷ୍ଟ୍ରାର ଅଫିସରେ ଛିଡ଼ା ହେବାକୁ ପଡ଼ିବନି। ଏହାଛଡ଼ା ସରକାରୀ କର୍ମଚାରୀ ବି କହିପାରିବେନି ଆପଣଙ୍କ କାଗଜପତ୍ର ହେବାରେ ବିଳମ୍ବ ହେବ। ଆପଣ କିଛି ଦିନ ଛାଡ଼ି ଆସନ୍ତୁ। କାରଣ ଏଣିକି ଆବେଦନର ୧ ଘଣ୍ଟା ମଧ୍ୟରେ ଜମି କାଗଜପତ୍ର ମିଳିବ। ଆସନ୍ତା ଏପ୍ରିଲ ୧ ତାରିଖରୁ ମାତ୍ର ୧ ଘଣ୍ଟା ମଧ୍ୟରେ ଜମିବାଡ଼ି କାଗଜପତ୍ର ମିଳିବ। ସବରେଜିଷ୍ଟ୍ରାର ଅଫିସରେ ଏନେଇ ପଞ୍ଜିକରଣ ପରେ ସେହି ଦିନ ଅପରାହ୍ନରେ ସବୁ ତଥ୍ୟ ମିଳିବ ବୋଲି ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ଏହାଛଡ଼ା ସେ କହିଛନ୍ତି ଯେ, ଫେବୃଆରୀ ୧୦ ତାରିଖରେ ରାଜସ୍ୱ ବିଭାଗ ମୋ ସରକାର ଅଧୀନକୁ ଆସିବ। ଯେଉଁ ତହସିଲଦାରଙ୍କ କାମ ବାକି ଅଛି, ସେମାନଙ୍କ ଛୁଟି ବାତିଲ କରାଯାଇଛି। ସେହିପରି ଅନେକ କଲେଜ ପ୍ରତିଷ୍ଠା ହୋଇଥିଲେ ବି ସମ୍ପୃକ୍ତ କଲେଜ ନାଁରେ ଜମି ନାହିଁ। କଲେଜଗୁଡ଼ିକ ନିଜ ନାଁରେ ଜମି କରାଇବାକୁ ଆବେଦନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।