ଗାଁରେ ବୁଲୁଛନ୍ତି କୁମ୍ଭୀର

ଜୟପୁର: ଗାଁରେ ଆତଙ୍କ ଖେଳାଇଛନ୍ତି କୁମ୍ଭୀର। ଗାଁ ନିକଟ ବନ୍ଧରେ କୁମ୍ଭୀର ବସା। ଆହାର ପାଇଁ ରାତିରେ ଗାଁରେ ବୁଲୁଛନ୍ତି। ଭୟରେ ରହିଛନ୍ତି ଗ୍ରାମବାସୀ।
ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲା କୁଣ୍ଡ୍ରା ବ୍ଲକର ବଗଡେରି ପଂଚାୟତରେ କୁମ୍ଭୀର ଆତଙ୍କ। ଗତ ୪ଦିନ ହେଲା ନିକଟ ନଦୀରୁ ଚାଲି ଆସି ସ୍କୁଲ ନିକଟ ପଞ୍ଚାୟତ ବନ୍ଧରେ ଡେରା ପକାଇଛି। ବନ୍ଧରେ କିଛି ଆହାର ମିଳୁ ନଥିବାରୁ ରାତିରେ ଗାଁରେ ବୁଲି ଆହାର ଖୋଜୁଛନ୍ତି। ଆହାର ଖୋଜିବା ସମୟରେ ଚଳାଚଳ କରୁଥିବା ଗାଡି ଚାପାରେ ଗୋଟିଏ କୁମ୍ଭୀରର ମୃତ୍ୟୁ ହୋଇଯାଇଛି।
ଅନ୍ୟ କୁମ୍ଭୀରଟି ବର୍ତ୍ତମାନ ଆତଙ୍କ ଖେଳାଇଛି। ଶୀତୁଆ ସକାଳ ହୋଇଥିବାରୁ ଖରା ଖାଇବାକୁ ପଦାକୁ ଆସୁଛି। କୁମ୍ଭୀରଟିକୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି। ନିକଟରେ ସ୍କୁଲ ଥିବାରୁ ପିଲାମାନଙ୍କର ଭୟ ବଢିଯାଇଛି। ବନ ବିଭାଗ ସବୁ ଜାଣି ମଧ୍ୟ ଅଜଣା ରହିଛି।