Odisha Link
Bridging the Missing Links in Odisha

ପଦ୍ମଶ୍ରୀ ପୁରସ୍କାର ପାଇବେ ବିଶିଷ୍ଟ କଣ୍ଠଶିଳ୍ପୀ ଅଦନାନ ସାମୀ, କଂଗ୍ରେସ କହିଲା ‘ଚାମଚାଗିରିର ମ୍ୟାଜିକ’

ନୂଆଦିଲ୍ଲୀ: ଶନିବାର ରାତିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୧୧୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଘୋଷଣା କରଯାଇଥିଲା। ଏହି ୧୧୮ ଜଣଙ୍କ ମଧ୍ୟରେ ବିଶିଷ୍ଟ କଣ୍ଠଶିଳ୍ପୀ ଅଦନାନ ସାମୀ ମଧ୍ୟ ସାମିଲ ଅଛନ୍ତି। ୨୦୧୬ରେ ଭାରତୀୟ ନାଗରିକତା ଗ୍ରହଣ କରିଥିବା ଗାୟକ ଅଦନାନ ସାମୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ଘୋଷିତ କରିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଅଦନାନଙ୍କ ବାପା ଜଣେ ପାକିସ୍ତାନ ବାୟୁସେନାର ଭେଟେରାନ ଅଧିକାରୀ। ସେ ଭାରତ ବିପକ୍ଷରେ ଯୁଦ୍ଧ ଲଢ଼ିଛନ୍ତି। ତାଙ୍କ ପୁଅକୁ କେନ୍ଦ୍ର କେଉଁ ଆଧାରରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କଲା ତା’କୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ଜୟବୀର ଶେରଗିଲ।

ଏହାବାଦ୍ କାରଗିଲ ଯୁଦ୍ଧର ସେନା ଅଧିକାରୀ ମହମ୍ମଦ ସନାଉଲହା ଆସାମ ଏନଆରସି ତାଲିକାରୁ ବାଦ୍ ପଡ଼ିଥିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଯିଏ ଦେଶ ପାଇଁ କାମ କରିଛି ତା’କୁ କେନ୍ଦ୍ର ଦେଶର ନାଗରିକ ବୋଲି ଗ୍ରହଣ କରିବାକୁ ନାରାଜ। ଅନ୍ୟପଟେ ଯେଉଁ ବ୍ୟକ୍ତି ଭାରତ ବିରୋଧରେ ଯୁଦ୍ଧ ଲଢ଼ିଛନ୍ତି ତାଙ୍କ ପୁଅକୁ କେନ୍ଦ୍ର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିବାକୁ ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ଏହି କଂଗ୍ରେସ ନେତା। ଏଭଳି ନାଗରିକତା ପ୍ରଦାନ କରି କେନ୍ଦ୍ରର ଶାସକ ଦଳ ବିଜେପି ନୂଆ ଟ୍ରେଣ୍ଡ ତିଆରି କରୁଛି। ଏହା ନ୍ୟୁ ଇଣ୍ଡିଆ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଏହା ‘ଏନଆରସିର ମ୍ୟାଜିକ ଏବଂ ସରକାରଙ୍କ ଚାମଚାଗିରି’ ବୋଲି କଂଗ୍ରେସ ମୁଖପାତ୍ର ଜୟବୀର ଶେରଗେଲ କହିଛନ୍ତି।

Comments are closed.