ଜଗନ୍ନାଥପ୍ରେମୀ ବିରୋଧ କରନ୍ତୁ: ମହେଶ୍ବର

ଭୁବନେଶ୍ବର: ଇସ୍କନ ସଂସ୍ଥା ପକ୍ଷରୁ ମୁମ୍ବାଇରେ ରଥଯାତ୍ରା ପାଳିତ ହୋଇଥିଲା। ଇସ୍କନ ସଂସ୍ଥା ପକ୍ଷରୁ ଏକ ଭବ୍ୟ ଆୟୋଜନ କରି ମହାପ୍ରଭୁଙ୍କ ରଥ ଗଡ଼ିଥିବା ବେଳେ ଏଥିରେ ଅନେକ ଭକ୍ତ ମଧ୍ୟ ସାମିଲ ହୋଇଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଇସ୍କନ ପକ୍ଷରୁ ମୁମ୍ବାଇରେ ଅଦିନ ରଥଯାତ୍ରାକୁ ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ବିରୋଧ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ଏହାକୁ ଆମେ ସବୁ ଜଗନ୍ନଥ ପ୍ରେମୀ ବିରୋଧ କରିବା ଉଚିତ। ଆଗକୁ ଏହି ବିରୋଧ ଆହୁରି ଅଧିକ ହେବ। ଇସ୍କନକୁ ତାଗିଦ କରିବା ସମୟ ଆସିଛି। ଶ୍ରୀମନ୍ଦିର ପ୍ରଶାସନ ତାଗିତ କରୁ। ତାଗିଦ କରିବା ନେଇ ଆମେ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେବୁ।
ସୂଚନାଯୋଗ୍ୟ ଯେ, ୨୦୧୯ ନଭେମ୍ୱର ୨୭ ତାରିଖରେ ଇସ୍କନ ଲୁଧିଆନାରେ ଅଦିନିଆ ରଥଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଇସ୍କନର ଏପରି ଅଦିନିଆ ରଥଯାତ୍ରା ଆୟୋଜନକୁ ତୀବ୍ର ବିରୋଧ କରାଯାଇଥିଲା।
କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ କେଉଁ ଆବାହମାନ କାଳରୁ ଚାଲି ଆସିଛି। ତେବେ ଇସ୍କନ୍ର ଏହି ଅଦିନିଆ ରଥଯାତ୍ରା ସଂସ୍କୃତି ବିରୋଧୀ ବୋଲି ବିଜେପି ଅଭିଯୋଗ କରିଥିଲା। ସେତେବେଳେ ଏହି ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜର ମତ ରଖିଥିଲେ । ତାଙ୍କ ମତ ଅନୁସାରେ ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ପରମ୍ପରାରେ ହୋଇଥାଏ। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥାଏ। ରଥଯାତ୍ରା ସରିଲେ ଶ୍ରୀବିଗ୍ରହମାନେ ରତ୍ନ ସିଂହାସନ ବିଜେ କରିଥାନ୍ତି। ତେଣୁ ଶ୍ରୀମନ୍ଦିରର ପରମ୍ପରାକୁ ଉଲ୍ଲଙ୍ଘନ କରି କେହି ପବିତ୍ର ଯାତ୍ରା ନକରିବାକୁ ସେ ଅନୁରୋଧ କହିଥିଲେ।
ତେବେ ବିଭିନ୍ନ ମହଲରୁ ବିରୋଧ ପରେ ଲୁଧିଆନାରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ନିଷ୍ପତ୍ତିରୁ ଓହରି ଯାଇଥିଲା ଇସ୍କନ। ହେଲେ ଏହାର କିଛି ମାସ ପରେ ମୁମ୍ବାଇରେ ଏମିତି ଏକ ମହାଆଡ଼ମ୍ବରରେ ରଥଯାତ୍ରା ଆୟୋଜନକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।