Odisha Link
Bridging the Missing Links in Odisha

କ୍ୟାବିନେଟ୍‌ରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର: ଆଜିର ରାଜ୍ୟ କ୍ୟାବିନେଟ୍ ବୈଠକରେ ୯ଗୋଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ବୈଠକରେ ରାଜ୍ୟ ପଞ୍ଚମ ଅର୍ଥ ଆୟୋଗ ଆକ୍ସନ ଟେକେନ୍ ରିପୋର୍ଟ ଉପସ୍ଥାପନ ହୋଇଛି। ଓଡିଶା ସିଭିଲ୍ ସର୍ଭିସ୍ ରୁଲ୍ ସଂଶୋଧନ ହେବା ସହ ଆସିବ ନୂଆ ଓଡିଶା ସିଭିଲ୍ ରିହାବିଲିଟେସନ ସ୍କିମ୍। ଏଥିରେ ବିଭିନ୍ନ ଗ୍ରୁପର କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ଗ୍ରୁପ୍ ଡି ପଦବୀ ମିଳିବ। ପୂର୍ବରୁ ୧୦ପ୍ରତିଶତ କ୍ୟାଡର ନିଯୁକ୍ତି ପାଉଥିଲେ। ଏବେ ଯେକୌଣସି ଅଫିସରଙ୍କ ମୃତ୍ୟୁ ହେଲେ ବି ନିଯୁକ୍ତି ମିଳିବ।

ସେହିଭଳି ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି। ସୁନ୍ଦରଗଡ ଜିଲ୍ଲାର ଦୁଇଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିପାଇଁ ୩୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ୩ଟି ବ୍ଲକର ସବୁ ଗାଁକୁ ଯୋଗାଇ ଦିଆଯିବ ପାଣି। ୩୪୦ କୋଟି ଟଙ୍କା ବ୍ୟୟରେ କୁଆଁରମୁଣ୍ଡା ବ୍ଲକ୍ ପାଇଁ ବି ପ୍ରକଳ୍ପ ହେବ।ଏଥିରୁ ଦୁଇ ଲକ୍ଷ ଲୋକ ଉପକୃତ ହେବେ। ଏହାସହ ଓଡ଼ିଶା ଖଣି ନିଗମର ଦୀର୍ଘ ମିଆଦି ଲିଙ୍କେଜକୁ ଅନୁମତି ମିଳିଛି। ଓଡିଶା ଖଣି ନିଗମ ଲିଃ ସହ ଦୀର୍ଘ ମିଆଦି ସଂଯୋଗରେ ଥିବା ଯେଉଁ କ୍ରେତାମାନେ ଯାନ୍ତ୍ରିକ ଖଣିଜ ଉତ୍ତୋଳନ ବ୍ୟବସ୍ଥାରେ ପୁଞ୍ଜି ବିନିଯୋଗ କରିବା ପାଇଁ ଇଚ୍ଛୁକ, ସେହିମାନେ ୫ ବର୍ଷରୁ ଅଧିକ ଦୀର୍ଘ ମିଆଦି ଖଣିଜ ଚୁକ୍ତି କରିବା ପାଇଁ ଉପଯୁକ୍ତ ବିବେଚିତ ହେବେ। ଏହାଦ୍ୱାରା ଓଡ଼ିଶା ଖଣି ନିଗମ ଜରିଆରେ ଅଧିକ ଖଣିଜ ଦ୍ରବ୍ୟ ଉତ୍ତୋଳନ ହେବ।

ସେହିଭଳି ଯେଉଁ ଖଣି ପଟ୍ଟାଧାରୀମାନଙ୍କର କ୍ରୋମ ଖଣିପଟ୍ଟା ରହିଛି,ସେମାନଙ୍କୁ ଜାତୀୟ ଇ-ଖଣି ନିଲାମରେ ଭାଗ ନେବା ପାଇଁ ଅନୁମତି ଦିଆଯିବ ନାହିଁ। ଏହାଦ୍ୱାରା କ୍ରୋମ ଭଳି ଦଷ୍ପ୍ରାପ୍ୟ କଞ୍ଚାମାଲର  ଉପଯୁକ୍ତ ବଜାର ଦର ନିର୍ଧାରଣ କରିହେବ। ଏହାଛଡ଼ା ସଫ୍ଟୱେର ଟେକ୍ନୋଲଜି ପାର୍କ ପାଇଁ ୩ ଏକର ଯାଏଁ ପ୍ରିମିୟମ୍ ମାଗଣା ଓ ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନକୁ ବି କ୍ୟାବିନେଟର ମଞ୍ଜୁରି ମିଳିଥିବା ସଂପର୍କରେ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.