Odisha Link
Bridging the Missing Links in Odisha

ମଣ୍ଡିରେ ଭିଜୁଛି ଧାନ

ସୁବର୍ଣ୍ଣପୁର: ଧାନ କିଣାବିକାରେ ଅନିୟମିତତା ଯୋଗୁଁ ୧୫ ରୁ ୨୦ ଦିନ ହେବ ମଣ୍ଡିରେ ପଡିରହିଛି ଧାନ। ଆଉ ଅଦିନିଆ ବର୍ଷା କାରଣରୁ ବୌଦ୍ଧ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଟୋକନ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରି ନଥିବାରୁ ଚାଷୀ ଧାନ ବିକି ପାରିନଥିବା ଅଭିଯୋଗ ହୋଇଛି।

ମୁଣ୍ଡଝାଳ ତୁଣ୍ଡରେ ମାରି ହାଡଭଙ୍ଗା ପରିଶ୍ରମ କରି ବିଲରେ ସୁନାର ଫସଲ ଫୁଟାଇଥିଲା ଚାଷୀ। ଅମଳ ପରେ ସରକାରକୁ ଭଲ ଦରରେ ଧାନ ବିକିବ ବୋଲି ଆଶା କରିଥିଲା। ହେଲେ ସବୁ ଆଶା ବର୍ଷା ପାଣିରେ ଧୋଇ ହୋଇଯାଇଛି। ମଣ୍ଡିରୁ ଧାନ ଉଠି ନଥିବାବେଳେ, ଅଦିନିଆ ବର୍ଷା ଏବେ ଚାଷୀର ଚିନ୍ତା ବଢାଇ ଦେଇଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଢିଗାଁ ସେବା ସମିତିରେ। ୧୫ରୁ ୨୦ ଦିନ ହେବ ମଣ୍ଡିରେ ଧାନ ପଡି ରହିଛି। ଆଉ ଅଦିନିଆ ବର୍ଷା ଏବେ ଚାଷୀର ନିଦ ହଜେଇ ଦେଇଛି। ମିଲର ଓ ସେକ୍ରେଟେରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଧାନ କିଣାବିକାରେ ଅବହେଳା ହୋଇଥିବା ଚାଷୀ ଅଭିଯୋଗ କରିଛି। ସେପଟେ ମିଲର ଆସୁନଥିବାବେଳେ ବର୍ଷା ଯୋଗୁଁ କିଛି ଧାନ ଭିଜିଥିବା କହିଛନ୍ତି ସେବା ସମବାୟ ସମିତି ସମ୍ପାଦକ।
ଟୋକନ ବ୍ୟବସ୍ଥାରେ ଅବହେଳା ପାଇଁ ଅମଳ ଧାନକୁ ବିକି ପାରୁନି ଚାଷୀ। ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ ବିଜେପୁର ଗାଁର ଚାଷୀ ଚିତରଂଜନ ଦାସ। ଧାର କରଜ କରି ୪ ଏକର ଜମିରେ ଧାନ ଚାଷ କରିଥିଲେ। ପ୍ରାୟ ୬୦ କ୍ୱିଂଟାଲ ଧାନ ଅମଳ କରିଛନ୍ତି। ଧାନ ବିକି କରଜ ସୁଝିବେ ବୋଲି ଆଶା ରଖିଥିଲେ। ହେଲେ ସମବାୟ ସମିତିରେ ଡାଟା ଏଂଟ୍ରି ବେଳେ ବିଜେପୁର ମୌଜାକୁ ହିକୁଡି ମୌଜା ଲେଖି ଦେଇଥିବାରୁ ଚିତରଂଜନଙ୍କୁ ଏଯାଏଁ ଟୋକନ ମିଳି ପାରିନାହିଁ। ଫଳରେ ଧାନ ବିକ୍ରି କରି ନପାରି ହିନସ୍ତା ହେଉଛନ୍ତି। ଟୋକନ ଆଶାରେ ଆରଆଇ ଅଫିସରୁ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଭିଟିଛନ୍ତି ହେଲେ କିଛି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି। କେବଳ ଚିତ୍ତରଞ୍ଜନ ନୁହଁନ୍ତି ତାଙ୍କ ଭଳି ଅନେକ ଚାଷୀ ଟୋକନ ପାଇ ନାହାନ୍ତି। ସେପଟେ ଟୋକନ ନଥିବା ଚାଷୀଙ୍କ କାଗଜପତ୍ର ଭୁବନେଶ୍ୱର ପଠା ଯାଇଛି। ସେଠାରୁ ଟୋକୋନ ଅସିଲେ ଧାନ କିଣାଯିବ ବୋଲି ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ କହିଛନ୍ତି।

ସରକାର ଚାଷୀର ସୁବିଧା ପାଇଁ ଅନେକ ନୂଆ ନୂଆ ଯୋଡନା ଆଉ ନିୟମ ସିନା ଆଣୁଛନ୍ତି, ହେଲେ ତାହା ସଠିକ୍ ଭାବେ ଫଳପ୍ରଦ ହୋଇପାରୁ ନଥିବାରୁ ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Comments are closed.