ନାଗକୁ ମାରିଲା ପୋଷା କୁକୁର ଶେରା

ଖୋର୍ଦ୍ଧା : ନାଗ ସହ ୧୫ ମିନିଟ୍ ଧରି ଲଢେଇ କଲା କୁକୁର। ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ଆସିଛି ଏମିିତି ଖବର। ନିଜର ମାଲିକଙ୍କୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇଦେଲା। ଶେରା ନାମକ ଏହି କୁକୁରଙ୍କ ଏପରି ସାହସିକତା ଏବେ ଜଟଣୀ ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି। ନାଗ କୁକୁର ଲଢେଇର ପୁରା ଚିତ୍ର କଏଦ ହୋଇଛି ସିସିଟିଭିରେ। ଗୁରୁବାର ଦିନ ପ୍ରାୟ ୧୧ ଟା ବେଳର ଘଟଣା। ଗୋଟିଏ ୪ ଫୁଟ ଲମ୍ବର ନାଗସାପ ଜଟଣୀର ବ୍ୟବସାୟୀ ମନୋଜ ସ୍ୱାଇଁଙ୍କ ଘରେ ପଶିବାକୁ ଉଦ୍ୟମ କରୁଥିଲା। ଏତିକି ବେଳେ ସାପର ବାଟ ଓଗାଳିଥିଲା ଶେରା। ଏହା ପରେ ଆରମ୍ଭ ହୋଇଥିଲା ଲଢେଇ। ବାରମ୍ୱାର ସାପକୁ ଆକ୍ରମଣ କରିଥିଲା ଶେରା ।
ପ୍ରାୟ ୧୫ ମିନିଟର ଲଢେଇ ପରେ ନାଗ ସାପର ଜୀବନ ଚାଲିଯାଇଥିଲା। ନିସ୍ତେଜ ହୋଇ ପଡିଯାଇଥିଲା ନାଗ। ଏହି ଘଟଣା ସିସିଟିଭିରେ କଏଦ ହୋଇଛି। ସବୁଠାରୁ ବଡ କଥା ହେଉଛି କୁକୁରର ବାହାଦୂରୀକୁ ସଲାମ କରିବାକୁ ହେବ। ବିଷଧର ନାଗକୁ ଆକ୍ରମଣ କରିଥିଲେ ମଧ୍ୟ ନାଗ ଯେତେବେଳେ ତାକୁ ପ୍ରତି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ପ୍ରାୟ ଏଥିରୁ ସାପର ନଜର ହଟାଇ ସେ ବର୍ତି ଯାଉଥିଲା। କୁକୁରର ଏପରି ସାହସିକତା ପାଇଁ ଆଜି ମାଲିକ ପରିବାରର ଜୀବନ ରକ୍ଷା ପାଇ ଯାଇଛି। କୁକୁର ପାଇଁ ଦୂର ହୋଇଯାଇଚି ଅଘଟଣ। ମାସକ ଭିତରେ ଜଟଣୀ ଅଂଚଳରେ ଏ ହେଉଛି ଦ୍ୱୀତୀୟ ଘଟଣା ।