Odisha Link
Bridging the Missing Links in Odisha

ବିଜୁ ଜନତା ଦଳର ଇଂରାଜୀ ଭାଷା ପ୍ରତି ଏତେ ଦରଦ କାହିଁକ? : ବିଜେପି

ଭୁବନେଶ୍ବର: ଇଂରାଜୀ ଭାଷାର ବ୍ୟବହାର କମିଲେ ବିଜୁ ଜନତା ଦଳକୁବହୁତ ବାଧୁଛି । ଭୁବନେଶ୍ୱର ଏମ୍ସରେ କିଛି ସରକାରୀ କାମରେ ହିନ୍ଦି ଭାଷାର ବ୍ୟବହାରକୁ ବିଜୁ ଜନତା ଦଳର ବିରୋଧ କରିବା ପରେ ଏହା ପ୍ରମାଣିତ ହେଉଛି । ବିଜୁ ଜନତା ଦଳର ଓଡିଆ ଭାଷା ପ୍ରତି ମମତା କମ୍ ଇଂରାଜି ଭାଷା ପ୍ରତି ମମତା ଅଧିକ ରହିଛି । ଏମ୍ସ କର୍ତୃପକ୍ଷ ଯେଉଁ ନିୟମ ଆଣିଛନ୍ତି ସେଥିରେ କୌଣସି ସ୍ଥାନରେ ଲେଖା ହୋଇନାହିଁ କି ଓଡିଆ ଭାଷାକୁ ବ୍ୟବହାର କରାନଯାଉ ବୋଲି।

ସେହିପରି ରୋଗୀ ସେବା ସର୍ମ୍ପକିତ ବା ରୋଗୀମାନଙ୍କ ସହିତ ସିଧାସଳଖ ଜଡିତ ବିଭାଗ ମାନଙ୍କରେ କୌଣସି ଭାବରେ ବି ଏ ନେଇ ପରିବର୍ତନ ଅଣାଯାଇନାହିଁ । ରୋଗୀ ଯେଉଁ ଭାଷା ବୁଝିବେ ସେହି ଭାଷାରେ ହିଁ ଡାକ୍ତର ଓ ନର୍ସ ବା କର୍ତୃପକ୍ଷ ସେମାନଙ୍କ ସହିତ ସେହି ଭାଷାରେ କଥା ହେବେ । କୌଣସି ଭାଷାକୁ ବାଧ୍ୟତାମୂଳକ କରାଯାଇନାହିଁ । ଓଡିଆ ରୋଗୀଙ୍କ ସହିତ ସମସ୍ତ ଯୋଗାଯୋଗ ଓଡିଆ ଭାଷାରେ ହେବ । ବିଜୁ ଜନତା ଦଳ ବିନା ଆଧାରରେ ଭ୍ରମିତ କରୁଛି ବୋଲି ଏକ ପ୍ରେସ ବିବୃତିରେ କହିଛନ୍ତି ବିଜେପିର ବରିଷ୍ଠ ନେତା ଖାରବେଳ ସ୍ୱାଇଁ ।

ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଏମ୍ସରେ ଏମବିବିଏସ ଓ ନର୍ସିଙ୍ଗରେ ପିଲାମାନଙ୍କୁ ଓଡିଆ ଭାଷାରେ ପାଠ ପଢାଯାଉଛି । ମୋଦି ସରକାର ରେଳ ଟିକଟରେ ଓଡିଆ ଭାଷାର ପ୍ରଚଳନ କଲେ । ରାଜ୍ୟ ସରକାର ଓ ବିଜୁ ଜନତା ଦଳ ଏବେ ସ୍ପଷ୍ଟ କରନ୍ତୁ, ରାଜ୍ୟର ଏସସିବି ମେଡିକାଲ କଲେଜ, ବୁର୍ଲା ମେଡିକାଲ କଲେଜ ଓ ବ୍ରହ୍ମପୁର ମେଡିକାଲ କଲେଜରେ ଯେତେ ସେବୁ ସରକାରୀ ଚିଠି ଦିଆନିଆ ହେଉଛି ତାହା କେଉଁ ଭାଷାରେ ହେଉଛି ? କାହିଁକି ଓଡିଆ ଭାଷାରେ ସେଠାରେ ସରକାରୀ କାମ ହେଉନାହିଁ । ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଉଭୟ ଲୋକସେବା ଭବନ ଓ ବିଧାନସଭାରେ ସମସ୍ତ ଚିଠି ଏବେବି ଇଂରାଜି ଭାଷାରେ ହେଉଛି । ଓଡିଆ ଭାଷା ପ୍ରତି ଏପରି ବୈମାତୃକ
ମନୋଭାବ କାହିଁକି ବୋଲି ଖାରବେଳ ପ୍ରଶ୍ନ କରିଛନ୍ତି ।

ନ୍ୟାୟାଳୟ ମାନଙ୍କରେ ମୁଖ୍ୟ ଭାଷା ଭାବରେ ଇଂରାଜି ଭାଷାର ବ୍ୟବହାର ହେଉଛି । କାହିଁକି ଓଡିଆ ଭାଷାରେ ନ୍ୟାୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉନାହିଁ? ଦେଶର ଅନ୍ୟରାଜ୍ୟ ମାନେ ସେମାନଙ୍କର ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଆଣି ନିଜର ମାତୃଭାଷାରେ ନ୍ୟାୟ ଦେବା ପାଇଁ ପଦକ୍ଷେପ ନେଲେଣି । ହେଲେ ଓଡିଶା ଏ ଦିଗରେ ଏବେ ସୁଦ୍ଧା ଭାବିବା ବି ଆରମ୍ଭ କରିନାହିଁ । ଆଜି ବିଜୁ ଜନତା ଦଳର ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ପିନାକି ମିଶ୍ର ନିଜେ କୁହନ୍ତୁ ସେ ହାଇକୋର୍ଟରେ କେଉଁ ଭାଷାରେ ନିଜର ତର୍କ ରଖିଛନ୍ତି । ବିଜୁ ଜନତା ଦଳର ଓଡିଆ ଭାଷା ପ୍ରତି କୌଣସି ଆନ୍ତରିକତା ନାହିଁ । କେବଳ ଶସ୍ତା ରାଜନୀତି କରିବା ନେଇ ସାଧାରଣ ଲୋକଙ୍କୁ ଭ୍ରମିତ କରୁଛି ଶ୍ରୀ ସ୍ୱାଇଁ କହିଛନ୍ତି ।

Comments are closed.