ରାଜ୍ୟସଭା ଯାଇଥା’ନ୍ତେ କି ସଂଜୟ ଦାସବର୍ମା! ହେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଭୁବନେଶ୍ବର: ରାଜ୍ୟସଭାରେ ଓଡ଼ିଶାରୁ ୪ ଆସନ ଶୂନ୍ୟ ହେବାକୁ ଯାଉଛି। ବିଜୁ ଜନତା ଦଳ ପକ୍ଷରୁ କାହାକୁ ପଠାଯିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଆଜି ହଠାତ ସରକାର ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ଘୋଷଣା କରିଛନ୍ତି। ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ଏହି ପଦରେ ଅବସ୍ଥାପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ରାଜ୍ୟସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ନବୀନଙ୍କ ଏ ଘୋଷଣା ରାଜନୈତିକ ମହଲରେ ଚର୍ଚ୍ଚାର ନୂଆ ସୂତ୍ରପାତ କରିଛି। ସଂଜୟ କାଳେ ରାଜ୍ୟସଭା ରେସ୍ରେ ଥିଲେ ବୋଲି ଚର୍ଚ୍ଚା ହେଉଛି। ଏବଂ ତାଙ୍କୁ ଏହି ରେସ୍ରୁ ହଟାଇବା ପାଇଁ ନବୀନ ଏଭଳି ନିଷ୍ପତ୍ତି ନେଇ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।
ତେବେ ଦୀର୍ଘଦିନ ଧରି ଅବହେଳିତ ହୋଇ ପଡ଼ିଥିବା ରାଜ୍ୟ ଯୋଜନା ବୋର୍ଡକୁ କାର୍ଯ୍ୟକ୍ଷମ କରିବାକୁ ଗତ ବର୍ଷ ଅଣ୍ଟା ଭିଡ଼ିଥିଲେ ରାଜ୍ୟ ସରକାର। ନିୟମିତ ଉପାଧ୍ୟକ୍ଷ ନିଯୁ୍କ୍ତ ହେଉଥିଲେ ହେଁ ଦୀର୍ଘ ବର୍ଷ ଧରି ବୋର୍ଡ ମିଟିଂ ହୋଇ ନଥିବା ଗତ ବର୍ଷ ବଜେଟ୍ ଅଧିବେଶନରେ ସରକାର ସ୍ବୀକାର କରିଥିଲେ। ପୂର୍ବରୁ ସୁର ନାୟକ, ବିଷ୍ଣୁ ଦାସଙ୍କ ଭଳି ବରିଷ୍ଠ ନେତା ଯୋଜନା ବୋର୍ଡର ଅଧ୍ୟକ୍ଷ ରହିଥିଲେ ମଧ୍ୟ କ୍ଷମତାର ବ୍ୟବହାର କରି ନପାରି ଅଣନିଶ୍ବାସୀ ହୋଇପଡ଼ିଥିଲେ। ଗତବର୍ଷ ଯୋଜନା ବୋର୍ଡକୁ କାର୍ଯ୍ୟକ୍ଷମ କରିବାକୁ ସରକାର ଉଦ୍ୟମ କରିଥିଲେ। ପ୍ରଥମେ ସମସ୍ତ ଜିଲ୍ଲାରେ ଯୋଜନା କିମଟିର ଅଧ୍ୟକ୍ଷ ଭାବେ ମନ୍ତ୍ରୀ ଓ ବିଧାୟକମାନଙ୍କୁ ନିଯୁକ୍ତ କରାଯାଇଥିଲା। ପୂର୍ବରୁ ସାଂଗଠନିକ ଦକ୍ଷତା ରଖିଥିବା ସଂଜୟ ରାଜ୍ୟ ଯୋଜନା ବୋର୍ଡ ଦାୟିତ୍ବ ସୁଚାରୁ ରୂପେ ତୁଲାଇ ପାରିବେ ବୋଲି ଚର୍ଚ୍ଚା ହେଉଛି। ସେଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଏହି ପଦରେ ଅବସ୍ଥାପିତ କରିଥାଇପାରନ୍ତି।
ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଠାରୁ ପରାଜିତ ହୋଇଥିଲେ। ସେ ପୂର୍ବରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ସେ ଅର୍ଥ ତତ୍ତ୍ବ ଚିଟ୍ ଫଣ୍ଡ୍ ଠକେଇ ଓ ପାଜେରୋ ଗାଡ଼ି ଦାନ ସୂତ୍ରରେ ଗ୍ରହଣ କରିବା ଆଦି ପ୍ରସଙ୍ଗରେ ବିବାଦୀୟ ହୋଇ ପଡ଼ିଥିଲେ।