ମଶାଣିରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଅନୁଗୁଳ : ମଶାଣିରୁ ନବଜାତ ଶିଶୁ କନ୍ୟା ଉଦ୍ଧାର। ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ବସଲାସାହି ନିକଟ ମଶାଣିରୁ ଆଜି ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ଗାଁର ଜଣେ ମହିଳା ଶୌଚ ପାଇଁ ମଶାଣି ନିକଟକୁ ଯିବା ବେଳେ ସେଠାରେ ସେ ଏକ ଶିଶୁଟିର କାନ୍ଦ ଶୁଣିଥିଲେ। ପରେ ସେ ମଶାଣିରେ ପଡ଼ିଥିବା ଏକ ବ୍ୟାଗ୍ରୁ ନବଜାତକୁ ଉଦ୍ଧାର କରିଥିଲେ। ଉଦ୍ଧାର ଶିଶୁ ଦେହରେ ପିମ୍ପୁଡି ଲାଗିଯାଇଥିଲା। ପରେ ମହିଳା ଜଣଙ୍କ ଛୁଆଟିକୁ ତାଙ୍କ ଘରକୁ ନେଇ ଆସିଥିଲେ।
ଏନେଇ ଗ୍ରାମବାସୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏନେଇ ନାଲକୋ ଥାନାରେ ଏତଲା ଦେଇଥିବା ଜଣାଯାଇଛି। ତେବେ ଶିଶୁ କନ୍ୟାଟିକୁ କିଏ ଓ କେଉଁ କାରଣରୁ ପକାଇ ଦେଇଛି ଏନେଇ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।