Odisha Link
Bridging the Missing Links in Odisha

ରାଜେଶ ଖାନ୍ନାଙ୍କ ଘରେ ଏସି ମେକାନିକ୍‌ ଥିଲେ ଏହି ଅଭିନେତା

ମୁମ୍ୱାଇ : ବଲିଉଡ ନିର୍ଦ୍ଦେଶକ ହୋମି ଅଦାଜାନିଆଙ୍କ ସିନେମା ‘ଅଙ୍ଗ୍ରେଜୀ ମିଡିୟମ୍‌’ ଆଜି ସିନେମା ଘରେ ରିଲିଜ୍‌ ହୋଇଛି। ସିନେମାଟିରେ ବଲିଉଡ୍‌ ଅଭିନେତା ଇରଫାନ୍‌ ଖାନ୍ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

୨୦୧୭ରେ ସିନେମା ‘ଅଙ୍ଗ୍ରେଜୀ ମିଡିୟମ୍‌’ର ପ୍ରଥମ ଭାଗ ରିଲିଜ୍‌ ହୋଇଥିଲା ଓ ଏହା ସିନେମାର ଦ୍ୱିତୀୟ ଭାଗ । ଅଭିନେତ୍ରୀ ରାଧିକା ମଦାନ ଏଥିରେ ଇରଫାନ୍‌ଙ୍କ ଝିଅ ଭୂମିକାରେ ଅଭିନୟ କରିଛନ୍ତି ।

କ୍ୟାନସରରେ ପୀଡ଼ିତ ଥିବା ଇରଫାନ୍‌ ଚିକିତ୍ସିତ ହୋଇ ପୁଣିଥରେ ବଲିଉଡକୁ ଫେରି ଆସିଥିଲେ । ତାଙ୍କ ଦେହ ଖରାପ କାରଣରୁ ସିନେମାର ପ୍ରୋମୋସନ କରିପାରି ନଥିଲେ । ଇରଫାନ୍‌ ନିଜକୁ ବଲିଉଡ୍‌ରେ ଜଣେ ସଫଳ ଅଭିନେତାରେ ଗଢ଼ିତୋଳିଛନ୍ତି ।

ତାଙ୍କ ଜୀବନରେ ଅନେକ କଥା ରହିଛି ଯାହା ଆପଣ ଜାଣି ନଥିବେ । ଦିନେ ସେ ଏସି ମେକାନିକ୍‌ ଭାବରେ କାର୍ଯ୍ୟ କରୁଥିଲେ। ସେ ଏସି ମେକାନିକ୍‌ ଥିବା ସମୟରେ ଦିନେ ରାଜେଶ ଖାନ୍ନାଙ୍କ ଘରେ ପହଞ୍ଚି ଯାଇଥିଲେ ଏବଂ ସେଠାରେ ତାଙ୍କର ଏସି ଠିକ୍‌ କରିଥିଲେ ।

ଇରଫାନ୍‌ଙ୍କ ନାମକୁ ଉଚ୍ଚାରଣ କଲେ ଏଥିରେ ଦୁଇଟି ଆର୍‌ ଆସିଥାଏ । ଏହା ପଛରେ କୌଣସି ନ୍ୟୁମେରୋଜିକାଲ୍ ସାଇନ୍ସ ନାହିଁ । ପ୍ରକୃତ କଥା ହେଉଛି ତାଙ୍କ ନାମରେ ଥିବା ଦୁଇଟି ଆର୍‌କୁ ଉଚ୍ଚାରଣ କଲେ ଯେଉଁ ଶବ୍ଦ ହୋଇଥାଏ, ତାହା ଇରଫାନ୍‌ଙ୍କୁ ବହୁତ ପସନ୍ଦ । ଏଥିପାଇଁ ସେ ନିଜ ନାମର ସ୍ପେଲିଙ୍ଗ ବଦଳାଇ ଦେଇଥିଲେ ।

ଇରଫାନ୍‌ ଖାନ୍‌ଙ୍କ ବିଷୟରେ ଆଉ ଏକ ବଡ଼ ଚର୍ଚ୍ଚା ଶୁଣିବାକୁ ମିଳିଥାଏ ଯେ ସେ ହଲିଉଡ୍‌ ସିନେମା ନିର୍ମାତା ଖ୍ରୀଷ୍ଟୋଫର ନୋଲନ୍‌ଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏହାର କାରଣ ସେହି ସମୟରେ ସେ ସିନେମା ‘ଲଞ୍ଚ୍‌ ବକ୍ସ’ ଓ ‘ଡି-ଡେ’ ପାଇଁ କାମ କରୁଥିଲେ।