Odisha Link
Bridging the Missing Links in Odisha

ଆଜିଠୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ, ୩ଟି ପର୍ଯ୍ୟାୟରେ ମୂଲ୍ୟାୟନ କରିବେ ପରୀକ୍ଷକ

କଟକ: ଆଜିଠାରୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଖାତାର ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ମାଟ୍ରିକ୍ ମୂଲ୍ୟାୟନ ବ୍ୟବସ୍ଥା ଗତକାଲିଠାରୁ ଆରମ୍ଭ ହୋଇଛି। ଏଥିସହ ଗତକାଲି କେବଳ ପରୀକ୍ଷକମାନଙ୍କର ଉପସ୍ଥାନ ନିଆଯାଇଛି। ଅନୁପସ୍ଥିତ ଥିବା ପରୀକ୍ଷକମାନଙ୍କର ବିକଳ୍ପ ବ୍ୟବସ୍ଥା ଜିଲ୍ଲା ଶିକ୍ଷା ଅଧିକାରୀମାନେ କରିଛନ୍ତି। ବୁଧବାର ମୂଲ୍ୟାୟନକୁ ନେଇ କେବଳ ଆଲୋଚନା କରାଯାଇଥିବା ବେଳେ ଆଜିଠାରୁ ଖାତା ଦେଖା ଆରମ୍ଭ ହେବ। ଖାତାଦେଖା ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି। ଆବଶ୍ୟକ ପଡ଼ିଲେ ଖାତାଦେଖା ସମୟସୀମାକୁ ବୃଦ୍ଧି କରାଯିବ ବୋଲି ମାଧ୍ୟମିକ ଶିଖା ପରିଷଦ(ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି।

କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ମୂଲ୍ୟାୟନ କେନ୍ଦ୍ରମାନଙ୍କରେ ସତର୍କତା ଅବଲମ୍ବନ କରାଯାଇଛି। ରାଜ୍ୟରେ ହୋଇଥିବା ୬୧ ମୂଲ୍ୟାୟନ କେନ୍ଦ୍ରରେ ସାନିଟାଇଜର୍ ଓ ସାବୁନ୍ ରଖାଯାଇଛି। କେନ୍ଦ୍ର ଭିତରକୁ ପରୀକ୍ଷକମାନେ ହାତ ଧୋଇ ପ୍ରବେଶ କରିବା ପରେ ଖାତା ଦେଖା ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା। ଯେଉଁ କେନ୍ଦ୍ରରେ ପରୀକ୍ଷକଙ୍କ ଅଭାବ ପରିଲକ୍ଷିତ ହୋଇଥିଲା, ତାହାର ବିକଳ୍ପ ଡିଇଓମାନେ କରି ବୋର୍ଡ ନିକଟକୁ ରିପୋର୍ଟ ପଠାଇଥିଲେ।

କରୋନା ଭାଇରସର ସତର୍କତାକୁ ନେଇ ଏଥର ମୂଲ୍ୟାୟନ ବ୍ୟବସ୍ଥାରେ ପରିବର୍ତ୍ତନ କରଯାଇଛି। ପୂର୍ବରୁ ଏକକାଳୀନ ପରୀକ୍ଷକମାନେ କେନ୍ଦ୍ରକୁ ପ୍ରବେଶ କରିବା ସହ ଏକାସାଙ୍ଗରେ ଖାତା ଦେଖୁଥିଲେ। କିନ୍ତୁ ଏଥର କରୋନା ପାଇଁ ତିନୋଟି ପର୍ଯ୍ୟାୟ ବା ସିଫ୍ଟରେ ଖାତା ଦେଖିବାକୁ ନିଷ୍ପତ୍ତି ହୋଇଛି। ପ୍ରଥମ ସିଫ୍ଟରେ ସକାଳ ସାଢ଼େ ୮ରୁ ସାଢ଼େ ୨ଟା, ଦ୍ୱିତୀୟ ସିଫ୍ଟରେ ସାଢ଼େ ୯ଟାରୁ ସାଢ଼େ ୩ଟା ଏବଂ ତୃତୀୟ ସିଫ୍ଟରେ ସାଢ଼େ ୧୦ଟାରୁ ସାଢେ଼ ୪ଟା ପର୍ଯ୍ୟନ୍ତ ଖାତା ଦେଖିବାକୁ ସ୍ଥିର କରାଯାଇଛି।

ସିଫ୍ଟ୍ ଅନୁସାରେ ଖାତା ଦେଖି ଏକ ଘଣ୍ଟା ବ୍ୟବଧାନରେ କେନ୍ଦ୍ରରୁ ବାହାରିପାରିବେ। ଯାହାଫଳରେ ଏତେ ସଂଖ୍ୟକ ପରୀକ୍ଷକ ଆଉ ଏକତ୍ରିତ ହୋଇପାରିବେ ନାହିଁ, ଯାହା କରୋନା ସମ୍ଭାବନାକୁ ଟାଳିବ। ପ୍ରବେଶ ବେଳେ ସାବୁନ ଓ ସାନିଟାଇଜରରେ ହାତ ଧୋଇବେ ପରୀକ୍ଷକ। କାନ୍ଥରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାର ପୋଷ୍ଟର ଲଗାଯିବ। କେନ୍ଦ୍ରକୁ ସାନିଟାଇଜ୍ କରାଯିବ। ଅନଲାଇନ ମାଧ୍ୟମରେ ପ୍ରୋସେସିଂ ଫାର୍ମକୁ ନମ୍ବର ପଠାଇବା ପାଇଁ ଚେକର୍ ଓ ମେକରଙ୍କ ପାଇଁ ଅଲଗା ଅଲଗା ଘରର ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।

ଚଳିତବର୍ଷ ମୋଟ୍ ୨ ହଜାର ୮ ଶହ ୮୮ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୬୦ ହଜାର ୯୦୫ ଜଣ ପରୀକ୍ଷାର୍ଥୀ। ହାଇସ୍କୁଲ ସାର୍ଟିଫିକେଟ୍ ପାଇଁ ୫ ଲକ୍ଷ ୪୭ ହଜାର ୭୬୧ଜଣ ଛାତ୍ରଛାତ୍ରୀ, ମୁକ୍ତ ବିଦ୍ୟାଳୟରେ ୯ ହଜାର ୭ ଶହ ୭୧ ଜଣ ଏବଂ ମଧ୍ୟମା ପାଇଁ ୪୫ଟି ପରୀକ୍ଷା କେନ୍ଦ୍ରରେ ୩ ହଜାର ୩୭୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ତେବେ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଉଥିବାରୁ ରେଜଲ୍ଟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ କୁହାଯାଇଛି।

Comments are closed.