Odisha Link
Bridging the Missing Links in Odisha

ମୋଦିଙ୍କ ସହାୟତା ଲୋଡ଼ିଲେ ଶିଳ୍ପ ସଂଗଠନ, ପ୍ରଧାନମନ୍ତ୍ରୀ ଦେଲେ ପରାମର୍ଶ

ନୂଆଦିଲ୍ଲୀ: କରୋନା ଭାଇରସ ଦିନକୁ ଦିନ ଭାରତରେ ତାର କାୟା ବିସ୍ତାର କରୁଛି। ଅନ୍ୟପଟେ କରୋନା ପ୍ରଭାବରେ ଦେଶର ଶିଳ୍ପ ଓ ବ୍ୟବସାୟ କ୍ଷେତ୍ର ଏବେ ଏକ ପ୍ରକାର ଠପ୍‌ ହୋଇଯାଇଛି। ଏଭଳି ସମୟରେ ସୋମବାର ବିଭିନ୍ନ ଶିଳ୍ପ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏମାନଙ୍କ ମଧ୍ୟରେ ଏଏସ୍‌ଏସ୍‌ଓସିଏଚ୍‌ଏଏମ୍‌, ଏଫ୍‌ଆଇସିସିଆଇ, ସିଆଇଆଇ ଏବଂ ଅନ୍ୟ କିଛି ସଂଗଠନ କରୋନାର ଶିଳ୍ପ ଉପରେ ପ୍ରଭାବ ନେଇ ଆଲୋଚନା କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଯୋଗେ ଆୟୋଜିତ ଏହି ବୈଠକରେ କରୋନା କାରଣରୁ ବୃଦ୍ଧି ପାଉଥିବା କ୍ଷତି ବାବଦରେ ଆଲୋଚନା ହୋଇଥିଲା। ସଂଗଠନଗୁଡ଼ିକ ଏହି କାରଣରୁ ସରକାରୀ ସହାୟତା ଦାବି କରିଛନ୍ତି।

ମୋଦି ଏହି ଆଲୋଚନା ସମୟରେ କହିଛନ୍ତି ଯେ ଆପଣଙ୍କ କମ୍ପାନୀର କାର୍ଯ୍ୟ ପାଇଁ କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ କହନ୍ତୁ। କିନ୍ତୁ ସେମାନଙ୍କୁ ଚାକିରିରୁ ଛଟେଇ କରନ୍ତୁ ନାହିଁ। କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀ ଶିଳ୍ପପତିଙ୍କୁ ଅନୁରୋଧ କରିଛନ୍ତି। ବ୍ୟବସାୟ ଉପରେ କୋଭିଡ୍ -୧୯ ନକାରାତ୍ମକ ପ୍ରଭାବ ସତ୍ତ୍ୱେ କର୍ମଜୀବୀଙ୍କୁ ଛଟେଇ ନ କରିବାକୁ ମୋଦି କହିଛନ୍ତି। ଏଥିସହ ସେମାନଙ୍କ ଦରମା ନ କାଟିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଦେଶର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ବେଳେ କୋଭିଡ୍ -୧୯ ଆକାରରେ ଏକ ଅପ୍ରତ୍ୟାଶିତ ବାଧା ଅର୍ଥନୀତି ସାମ୍ନାକୁ ଆସିଛି।

Comments are closed.