Odisha Link
Bridging the Missing Links in Odisha

ଏଣିକି ସ୍କୁଲ୍‌ରୁ ବହି ସଂଗ୍ରହ କରିବେ ଅଭିଭାବକ, ଏସ୍‌ଓପି ଜାରି

ଭୁବନେଶ୍ବର: ମହାମାରୀ ଓ ଲକ୍‌ଡାଉନ୍‌ ପାଇଁ ସ୍କୁଲ ବନ୍ଦ। ଏଥିପାଇଁ ପିଲାଙ୍କ ପାଖରେ ବହି ପହଁଞ୍ଚାଇବା ଦାୟିତ୍ବ ଶିକ୍ଷକୁ ମାନଙ୍କୁ ଦେଇଥିଲେ ସରକାର। ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଖରେ ଆଜି ସୁଦ୍ଧା ମାଗଣା ପାଠ୍ୟପୁସ୍ତକ ପହଞ୍ଚି ପାରିନି। ପାଖାପାଖି ୧୫ଦିନ ହେଲା ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ସବୁ ପିଲା ବହି ପାଇବାରୁ ବଞ୍ଚିତ ହୋଇଛନ୍ତି।

ଏପରିକି କିଛି ସ୍ଥାନରେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ଉପୁଜିବାର ଖବର ଆସିଛି। ତାହାକୁ ଦୃଷ୍ଟି‌ରେ ରଖି ବହି ବଣ୍ଟନ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଚିତ୍ରା ଅରୁମୁଗମ୍‌ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର(ଏସ୍‌ଓପି) ଜାରି କରିଛନ୍ତି।

ଏସ୍‌ଓପି ଜାରି ହେବା ଫଳରେ ଏଣିକି ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସ୍କୁଲରୁ ବହି ଗ୍ରହଣ କରିବେ। ସ୍କୁଲକୁ ଆସିବା ସମୟରେ ସେମାନେ ସ୍ବାସ୍ଥ୍ୟ ବିଭାଗର ଗାଇଡ୍‌ଲାଇନ୍‌ ଅନୁଯାୟୀ ମୁହଁରେ ମାସ୍କ/କପଡ଼ା ପିନ୍ଧିବା ବାଧ୍ୟତାମୂଳକ ବୋଲି ଉଲ୍ଲେଖ ରହିଛି। ସେମାନଙ୍କ ବସିବା ତଥା ଅପେକ୍ଷା କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ। ପରସ୍ପର ମଧ୍ୟରେ ସାମାଜିକ ଦୂରତ୍ବ ରହିବ। ଯଦି ୩୦ ଜଣ ଅଭିଭାବକ ଏକ ସମୟରେ ଆସିଥିବେ, ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଧାଡ଼ିରେ ଛିଡ଼ା କରାଯାଇ ବହି ବଣ୍ଟନ କରାଯିବ। ଅନ୍ୟମାନେ ଅପେକ୍ଷା କରିବେ। ସ୍କୁଲ ପ୍ରବେଶ ପଥରେ ହାତ ଧୋଇବା ପାଇଁ ସାବୁନ୍‌ଓ ପାଣିର ବ୍ୟବସ୍ଥା କରାଯିବ। ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବାରୁ ଅଭିଭାବକଙ୍କ ଲାଗି ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି।

ସେହିପରି ବହି ବଣ୍ଟନ ଲାଗି ସ୍କୁଲରେ ଅତି କମ୍‌ରେ ୫ଟି କାଉଣ୍ଟର ଖୋଲାଯିବ। ସ୍କୁଲର ଯେଉଁ ଷ୍ଟାଫ୍‌ମାନେ ବହି ବାଣ୍ଟିବେ, ସେମାନେ ମାସ୍କ, ଗ୍ଲୋବ୍‌ସ ପିନ୍ଧିବେ ଏବଂ ସାମାଜିକ ଦୂରତା ରଖିବେ। ବହି ଗ୍ରହଣ କରିବା କ୍ଷଣି ଅଭିଭାବକ ମାନେ ସେହି ସ୍ଥାନ ଛାଡ଼ି ଚାଲି‌ଯିବେ। ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର ଓ ହାତଧୁଆ ନିୟମକୁ ପାଳନ କରି ଗ୍ରିନ୍‌ଓ ଅରେଞ୍ଜ ଜୋନ୍‌ରେ ବହି ବଣ୍ଟନ ଦିଗରେ ପଦ‌କ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗାଇଡ୍‌ଲାଇନ୍‌କୁ ଆଧାର କରି ରେଡ୍‌ଜୋନ୍‌ରେ ବହି ବଣ୍ଟନ କରାଯାଇପାରିବ।

କୌଣସି ବି ପରିସ୍ଥିତିରେ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ବହି ବଣ୍ଟନ କରିବାକୁ ଅନୁମତି ଦିଆଯିବ ନାହିଁ। ସମ୍ପୃକ୍ତ ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ ହଟିବା ପରେ ବହି ବଣ୍ଟନ କରାଯିବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ବଣ୍ଟନ ପୂର୍ବରୁ ଅଭିଭାବକଙ୍କୁ ଅବଗତ କରାଯାଇ ଅଲଗା ଅଲଗା ଦିନରେ ସ୍କୁଲ କର୍ତ୍ତୃପକ୍ଷ ବହି ବାଣ୍ଟିବେ। ହ୍ବାଟସଆପ୍‌ଗ୍ରୁପ୍‌ଓ ମୋବାଇଲ୍‌ରେ ମେସେଜ୍‌ପଠାଯାଇ ଅଭିଭାବକଙ୍କୁ ଆସିବା ପାଇଁ କୁହାଯିବ। ଫଳରେ ବହି ନେବା ସମୟରେ ଅତ୍ୟଧିକ ଭିଡ଼ ହେବ ନାହିଁ। ସମସ୍ତ ଜିଲ୍ଲାପାଳଙ୍କ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦେଶକ ଏହି ଏସ୍ଓପି କଡ଼ାକଡ଼ି ଭାବେ ଲାଗୁ କରିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।