Odisha Link
Bridging the Missing Links in Odisha

କଟାହାତ ଯୋଡ଼ିଲେ କଳିଙ୍ଗ ହସ୍ପିଟାଲର ଡାକ୍ତର

ଭୁବନେଶ୍ବର: କରୋନା କଟକଣା ସମୟରେ ସ୍ଥାନୀୟ କଳିଙ୍ଗ ହସ୍ପିଟାଲରେ ଏକ ବିରଳ ଅସ୍ତ୍ରୋପଚାର ହୋଇଛି। ଜଣେ ଟ୍ରକ୍‌ ଡ୍ରାଇଭରଙ୍କ କଟା ହାତକୁ ସଫଳତାର ସହ ଯୋଡ଼ି ପ୍ରଶଂସା ସାଉଟିଛନ୍ତି ଡାକ୍ତର ଅକ୍ଷୟ କୁମାର ରାଉତ ଓ ତାଙ୍କ ସହଯୋଗୀ ଡାକ୍ତରୀ ଦଳ। କରୋନା ସଂକ୍ରମଣକୁ ନ ଡରି ଓ କୋଭିଡ୍‌ ପରୀକ୍ଷା ରିପୋର୍ଟକୁ ଅପେକ୍ଷା ନ କରି ମାନବିକତାର ପରିଚୟ ଦେଇଛନ୍ତି ଡାକ୍ତର ଶ୍ରୀ ରାଉତ।

ଡାକ୍ତର ରାଉତଙ୍କ ସୂଚନା ଅନୁଯାୟୀ ପୀଡ଼ିତ ବ୍ୟକ୍ତିଙ୍କ ବୟସ ୨୫ ବର୍ଷ ଓ ସେ ପେଶାରେ ଟ୍ରକ୍‌ ଡ୍ରାଇଭର। ତାଙ୍କ ଘର ପଶ୍ଚିମବଙ୍ଗର ପଶ୍ଚିମ ମିଦିନାପୁର ଜିଲ୍ଲାରେ। ଗତ ସୋମବାର (ଜୁନ୍‌ ୧) ସଂଧ୍ୟାରେ ସେ ଜାତୀୟ ରାଜପଥ ୧୬ରେ ଯାଉଥିବା ସମୟରେ ଡାହାଣ ହାତ ଟ୍ରକ୍‌ ଝରକାରେ ବାହାରକୁ ରଖିଥିଲେ। ଏହି ସମୟରେ ତାଙ୍କ ଗାଡ଼ିକୁ ଅତିକ୍ରମ କରୁଥିବା ଅନ୍ୟ ଏକ ଟ୍ରକ୍‌ ତାଙ୍କ ହାତକୁ ଧକ୍କା ଦେଇଥିଲା। ଏଥିରେ ପୀଡ଼ିତଙ୍କ ହାତ କଚଟି ଉପରୁ ସମ୍ପୂର୍ଣ୍ଣ ଛିଣ୍ଡି ତଳେ ପଡ଼ିଥିଲା।

ଘଟଣା ସୋମବାର ସଂଧ୍ୟା ୭ଟାରେ ଘଟିଥିଲା। କଳିଙ୍ଗ ହସ୍ପିଟାଲରେ ସେ ରାତି ୧ଟାରେ ପହଞ୍ଚିଥିଲେ। ରାତାରାତି ରକ୍ତ ଯୋଗାଡ଼ ଓ ଆନୁଷଙ୍ଗିକ ପରୀକ୍ଷା କରାଯାଇଥିଲା। ମଙ୍ଗଳବାର ସକାଳ ୭ଟାରେ ଅପରେସନ୍‌ ଆରମ୍ଭ ହୋଇଥିଲା। ପ୍ରାୟ ସେଢ଼େ ୧୦ ଘଣ୍ଟା ପରେ ସଂଧ୍ୟା ୫ଟା ୩୦ରେ ଅପରେସନ୍‌ ଶେଷ ହୋଇଥିଲା। ଚିକିତ୍ସା‌ ଜରୁରୀ ଥିବାରୁ ଅପରେସନ୍‌ ପୂର୍ବରୁ କୋଭିଡ୍‌ ପରୀକ୍ଷଣ ହୋଇ ପାରି ନଥିଲା। ତଥାପି ଏହାକୁ ଭୃକ୍ଷେପ ନକରି ଡାକ୍ତରୀ ଦଳ ସମର୍ପିତ ଭାବେ ପୀଡ଼ିତ ଯୁବକଙ୍କ ଚିକିତ୍ସା କରି ହାତଟି ଯୋଡ଼ିବାରେ ସକ୍ଷମ ହୋଇଥିଲେ। ପରେ କୋଭିଡ୍ ପରୀକ୍ଷଣ ହୋଇଥିଲା। ଜୁନ୍‌ ୫ ତାରିଖରେ କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିଲା।

ଯୁବକ ଜଣକ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ଖୁବ୍‌ ଶୀଘ୍ର ତାଙ୍କର ହାତ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଡାକ୍ତର ରାଉତ ଜଣାଇଛନ୍ତି। ଅପରେସନ୍‌ରେ ସହଯୋଗ କରିଥିବା ତାଙ୍କ ସହକାରୀ ଡାକ୍ତର ଗୟାଧର ବେହେରା, ଅନ୍ୟ ଅର୍ଥୋପେଡିକ୍ ଡାକ୍ତର, ନିଶ୍ଚେତକ ବିଶେଷଜ୍ଞ ଡାକ୍ତର କରୁଣାକର ଓ ଅପରେସନ୍‌ ଥିଏଟର୍‌ର ସମସ୍ତ କର୍ମଚାରୀଙ୍କୁ ଡାକ୍ତର ରାଉତ ଏ ସଫଳତାର ଶ୍ରେୟ ଦେଇଛନ୍ତି।

ପୂର୍ବରୁ ବହୁ ବିରଳ ଅସ୍ତରୋପଚାର କରିବା ସହ ନିଜର ମାନବୀୟ ପ୍ରତିବେଦନ ପାଇଁ ବେଶ୍‌ ଜଣାଶୁଣା ଡାକ୍ତର ଅକ୍ଷୟ କୁମାର ରାଉତ। ରାଜ୍ୟରେ ଗ୍ରହଣ ଖଣ୍ଡିଆ ଶିଶୁଙ୍କର ଚିକିତ୍ସା କରି ସେମାନଙ୍କ ମୁହଁରେ ସୁନ୍ଦର ହସ ଫୁଟାଇବାକୁ ଏକ ଅଭିଯାନ ଭାବରେ ଗ୍ରହଣ କରି ବେଶ୍‌ ସଫଳ ହୋଇଛନ୍ତି ଡାକ୍ତର ରାଉତ। ନିଜର ସମର୍ପିତ ଜନସେବା ନିମନ୍ତେ ସେ ରାଜ୍ୟ ଓ ରାଜ୍ୟ ବାହାରେ ବହୁ ସମ୍ମାନ ଓ ସମ୍ବର୍ଦ୍ଧନା ପାଇଛନ୍ତି।

Comments are closed.