Odisha Link
Bridging the Missing Links in Odisha

ରଥଯାତ୍ରାକୁ ନେଇ ସ୍ପଷ୍ଟ ଚିତ୍ର ରଖନ୍ତୁ ରାଜ୍ୟ ସରକାର: ପୃଥ୍ୱୀରାଜ

ଭୁବନେଶ୍ବର: ରଥଯାତ୍ରା ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କର ଶତାଦ୍ଦି ଶତାଦ୍ଦିର ଏକ ପରମ୍ପରା। ଓଡିଶାର ଜନତା ଏବଂ ସାରା ବିଶ୍ୱର ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହିତ ରଥଯାତ୍ରା ଅନାଦି କାଳରୁ ରହି ଆସିଛିି । ସମଗ୍ର ବିଶ୍ୱରେ ରଥଯାତ୍ରା ପାଳନ କରାଯାଉଛି ଯାହାର ପ୍ରମୁଖ କେନ୍ଦ୍ର ପୁରୀ ଜଗନ୍ନାଥ ଧାମ। ଚଳିତ ବର୍ଷ ରଥଯାତ୍ରାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଏହା ପଛରେ ରାଜ୍ୟ ସରକାରଙ୍କ ନୀରବତା ଏକ ପ୍ରମୁଖ କାରଣ। ପୁରୀରେ ଜଗନ୍ନାଥ ମହାପ୍ରଭୃଙ୍କ ରଥଯାତ୍ରା ହେବ କି ନାହିଁ ତାହାର ଏକ ସ୍ପଷ୍ଟ ଚିତ୍ର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଜଣାନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ
ହରିଚନ୍ଦନ ଦାବି କରିଛନ୍ତି ।

ରଥ ନିର୍ମାଣ ହେବ କି ନାହିଁ ସେଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଥିଲେ ରାଜ୍ୟସରକାର । କେନ୍ଦ୍ର ସରକାର ୨୪ ଘଂଟା ଭିତରେ ନିଷ୍ପତି ଜଣାଇଲେ ଏବଂ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ସହମତି ଦେଇଥିଲେ । ରଥ ନିର୍ମାଣ ଏହା ପରେ ଆରମ୍ଭ ହୋଇଥିଲା । କିନ୍ତୁ ଏବେ ରାଜ୍ୟରେ ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତି ନେବା ପାଇଁ ରାଜ୍ୟ ସରକାର କାହିଁକି ବିଳମ୍ବ କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

ନିକଟରେ ପୁରୀରେ ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ନେଇ ଜଣେ ବ୍ୟକ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ପ୍ରୟୋଜିତ ଭାବେ ଜନସ୍ୱାର୍ଥ ମାମଲା ଦାଏର କରି କରୋନା ମହାମାରୀ ପରିପ୍ରେକ୍ଷୀରେ ମହାପ୍ରଭୃ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ । ମାତ୍ର ଏ ସଂପର୍କିତ ଶୁଣାଣି କରି ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଦାୟୀତ୍ୱ ନ୍ୟସ୍ତ କରିଛନ୍ତି । କରୋନା ମୁକାବିଲା ନେଇ ଥିବା ବିଭିନ୍ନ ନିୟମାବଳୀକୁ ଦେଖି ରାଜ୍ୟସରକାର ନିଷ୍ପତି ନେବେ ବୋଲି ହାଇକୋର୍ଟ କହିଛନ୍ତି । ଏପରି ପରିସ୍ଥିତିରେ ରାଜ୍ୟସରକାର ତୁରନ୍ତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ସ୍ନାନ ପୂର୍ଣ୍ଣିମା ସୁଦ୍ଧା ଋଥଯାତ୍ରାକୁ ନେଇ ପୂର୍ବ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟୟରେ ଥାଏ । ରଥଯାତ୍ରା ପୂର୍ବରୁ ଆରଡିସି, ଆଇନମନ୍ତ୍ରୀଙ୍କ ସ୍ତରରେ ସମୀକ୍ଷା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସବୁ ବିଭାଗ ଗୁଡିକର ବୈଠକ ଅନୁଷ୍ଠିତ ହୋଇ ପ୍ରସ୍ତୁତିର ଚୂଡାନ୍ତ ରୂପରେଖ ତିଆରି ହୁଏ । ସବୁ ବିଭାଗର ମିଳିତ ସମନ୍ୱୟ ବୈଠକ ବାରମ୍ବାର ହେବା ସହ ବିଭିନ୍ନ ବିଭାଗ ପ୍ରସ୍ତୁତି ବୈଠକ ନିଜ ନିଜ ସ୍ତରରେ କରିଥାନ୍ତି । କିନ୍ତୁ ଏଯାବତ ସରକାର କୌଣସି ପ୍ରସ୍ତୁତି ବୈଠକ କରିନାହାଁନ୍ତି । ଜଗନ୍ନାଥ ବିଶେଷଜ୍ଞମାନେ କହୁଛନ୍ତି କି, ଯଦି ଚଳିତ ବର୍ଷ ରଥଯାତ୍ରା ନହୁଏ ତେବେ ଗୋଟିଏ ବର୍ଷ ଧରି ପ୍ରଭୃ ଜଗନ୍ନାଥ ଅଣସର ଘରେ ରହିବେ । ଏଥିପାଇଁ ସାଧାରଣ ଜନତାଙ୍କ ମନରେ ଅନେକ ଆଶା ଓ ଆଶଙ୍କା ଭରି ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

କେନ୍ଦ୍ର ସରକାର ଦେଶର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ଅମୁମତି ଦେଇଛନ୍ତିି । ମାତ୍ର ରାଜ୍ୟସରକାର ଚଳିତମାସ ଶେଷ ପର୍ଯ୍ୟନ୍ତ ଧର୍ମିକ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛନ୍ତି । ରାଜ୍ୟରେ ପ୍ରତ୍ନତ୍ୱାତିକ ସଂସ୍ଥା (ଏଏସଆଇ)ଦ୍ୱାରା ପରିଚାଳିତ ମନ୍ଦିର ଗୁଡିକ ମଧ୍ୟ ରାଜ୍ୟସରକାର ବନ୍ଦ କରିଛନ୍ତି । ଅନ୍ୟ ରାଜ୍ୟମାନଙ୍କରେ ମନ୍ଦିର ଖୋଲିଥିବା ବେଳେ ରାଜ୍ୟ ସରକାର ଚାହିଁଥିଲେ ସାମାଜିକ ଦୂରତାକୁ ବଜାୟ ରଖି ବିଭିନ୍ନ ଧର୍ମାନୁଷ୍ଠାନ ଖୋଲି ପାରିଥାନ୍ତେ । ହେଲେ ସେପରି କଲେ ନାହିଁ । ସେହିପରି ବନ୍ଦେ ଉତ୍କଳ ଜନନୀ ଗାନ କରି କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ପୁରୀ ବଡ ଦାଣ୍ଡରେ ହଜାର ହଜାର ଲୋକଙ୍କୁ ନେଇ ଆୟୋଜନ
କରାଯାଇଥିଲା । ଲୋକସେବା ଭବନ, ବିଭିନ୍ନ ସ୍ଥାନରେ ସରକାରୀ କର୍ମଚାରୀ ଓ ପୋଲିସ ବାହିନୀ ବହୁ ସଂଖ୍ୟାରେ ଏକାଠୀ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କଲେ । ଏହି ସବୁ ସ୍ଥାନରେ ସାମାଜିକ ଦୂରତାକୁ ମାନି ଯେପରି କାର୍ଯ୍ୟକ୍ରମ କରାଗଲା ଠିକ୍ ସେମିତି ନୀତି ନିୟମ ମାନି ମହାପ୍ରଭୃଙ୍କର ରଥଯାତ୍ରା ମଧ୍ୟ ଆୟୋଜନ କରାଯାଇ ପାରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Comments are closed.