Odisha Link
Bridging the Missing Links in Odisha

ସୁଶାନ୍ତ ସିଂ ରାଜପୁତ: ଆତ୍ମହତ୍ୟା ବିରୋଧରେ ବୁଝାଉଥିଲେ, ନିଜେ ଆତ୍ମହତ୍ୟା କଲେ

ଭୁବନେଶ୍ବର: କି ବିଚିତ୍ର ବିରୋଧାଭାସ ସତରେ! ଯେଉଁ ବ୍ୟକ୍ତି ଆତ୍ମହତ୍ୟା ବିରୋଧରେ ମତ ରଖିଥିଲେ ସେ ନିଜେ ଆଜି ଆତ୍ମହତ୍ୟା କରିଛନ୍ତି। ୨୦୧୯ ମସିହାରେ ବଲିଉଡ୍‌ ସିନେମା ‘ଛିଛୋର୍’ରେ ବାପା ଭୂମିକାରେ (ଅନିରୁଦ୍ଧ ପାଠକ) ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ସୁଶାନ୍ତ। ଏହି ଚଳଚ୍ଚିତ୍ରରେ ସେ ନିଜର କଲେଜ ପଢ଼ୁଆ ପୁଅ ରାଘବକୁ ଆତ୍ମହତ୍ୟା ନ କରିବା ପାଇଁ ବୁଝାଇଥିଲେ। ଅଥଚ କାଳର କି ବିପରୀତ ଗତି ଦେଖନ୍ତୁ। ଆଜି ପରଦାର ସେହି ସାହସୀ ବାପା ସତସତିକା ଜୀବନରେ ହାରି ଯାଇଛନ୍ତି। ମାତ୍ର ୩୪ ବର୍ଷ ବୟସରେ ପ୍ରାଣ ହାରିଛନ୍ତି ସୁଶାନ୍ତ।

୨୦୧୩ ମସିହାରେ ମାତ୍ର ୨୭ ବର୍ଷ ବୟସରେ ‘କାଇ ପୋ ଚେ’ ସିନେମା ମାଧ୍ୟମରେ ହିନ୍ଦୀ ସିନେମା ଜଗତରେ ପାଦ ଥାପିଥିଲେ ସୁଶାନ୍ତ। ପ୍ରଥମ ସିନେମାରୁ ହିଁ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନରେ ଘର କୀି ବସିଥିଲେ ସେ। ଏହି ସିନେମା ପାଇଁ ଶ୍ରେଷ୍ଠ ନବାଗତ ଅଭିନେତା ଭାବେ ସେ ପୁରସ୍କୃତ ବି ହୋଇଥିଲେ। ‘ପିକେ’ ସିନେମାରେ ନାୟିକାଙ୍କ ପ୍ରେମିକ ଜଣେ ପାକିସ୍ତାନୀ ନାଗରିକ ସରଫରାଜ୍‌ ଭୂମିକାରେ ସୁଶାନ୍ତଙ୍କ ଅଭିନୟ କିଏ ବା ଭୁଲିପାରିବ! ୨୦୧୬ ମସିହାରେ କ୍ରିକେଟ ଖେଳାଳୀ ମହେନ୍ଦ୍ର ସିଂହ ଧୋନୀଙ୍କ ଜୀବନ-ସିନେମା ‘ଏମ୍‌ଏସ୍‌ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ’ରେ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା(କ୍ରିଟିକ୍) ସମ୍ମାନ ଲାଭ କରିଥିଲେ ସୁଶାନ୍ତ। ୭ ବର୍ଷ ମଧ୍ୟରେ ସମୁଦାୟ ୧୨ଟି ସିନେମାନେ ଅଭିନୟ କରିଛନ୍ତି ସେ। ତାଙ୍କର ଶେଷ ଚଳଚ୍ଚିତ୍ର ‘ଦିଲ୍‌ ବେଚାରା’ ଗତ ମେ’ ୮ରେ ମୁକ୍ତିଲାଭ କରିବାର ଥିଲା, ଯାହା କରୋନା ଲକ୍‌ଡାଉନ୍‌ କାରଣରୁ ଏଯାଏଁ ଦର୍ଶକଙ୍କ ସାମନାକୁ ଆସିପାରିନାହିଁ। ସିନେମାଟି ଅନ୍‌ଲାଇନ୍‌ ମୁକ୍ତିଲାଭ କରିବ ବୋଲି ଖବର ମିଳିଛି।

ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ଘରୁ ପୁଲିସ ଶବ ଉଦ୍ଧାର କରି ତଦନ୍ତ ଚଳାଇଛି। ତେବେ ମାତ୍ର ୭ ଦିନ ତଳେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍‌ ଆତ୍ମହତ୍ୟା କରିଥିଲେ। ଏ ନେଇ ସେତେବେଳେ ସୁଶାନ୍ତ ସୋସିଆଲ ମିଡିଆରେ ଦୁଃଖବ୍ୟକ୍ତ କରିଥିଲେ।

Comments are closed.