ଟେଷ୍ଟିଂ ଓ ଟ୍ରେସିଂ ବଢ଼ୁଥିବାରୁ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଯାହା ପାଇଁ ରାଜ୍ୟବାସୀ ଚିନ୍ତାରେ। ଅପରପକ୍ଷେ ରାଜ୍ୟ ସରକାର ଚନ୍ତିତି ନହେବା ପାଇଁ ରାଜ୍ୟବାସୀଙ୍କୁ କହିଛନ୍ତି। ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ରାଜ୍ୟରେ ଆରୋଗ୍ୟ ହାର ବଢୁଛି, ମୃତ୍ୟୁ ହାର କମୁଛି। ତେଣୁ କରୋନା ଆକ୍ରାନ୍ତ ସଂଖ୍ୟ ବୃଦ୍ଧି ପାଉଥିବା ନେଇ ଚିନ୍ତା କରନ୍ତୁ ନାହିଁ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ରାଜ୍ୟବାସୀ ଚିନ୍ତା କରିବା ଆବଶ୍ୟକ ନାହିଁ। ଆମେ କରୋନାକୁ ଗୋଡ଼େଇ ଗୋଡେଇ ଧରୁଛୁ। ଟ୍ରେସ୍ କରୁଛୁ। ଗୋଟିଏ ମଧ୍ୟ କେସ୍ ରହିନ ଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଟ୍ରେସିଂ କରାଯାଉଥିବାରୁ କେସ୍ ବଢୁଛି, ଲୋକେ ଚିନ୍ତା କରନ୍ତୁ ନାହିଁ। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।
ଶ୍ରୀ ମହାପାତ୍ର ଆହୁରି କହିଛନ୍ତିଯେ, ଲକ୍ଷଣ ଯୁକ୍ତ ଚିହ୍ନଟ ହୋଇପାରିଲେ, ନିଶ୍ଚିତ ଭାବେ ନିୟନ୍ତ୍ରଣ ହୋଇପାରିବ। କରୋନା ଭୂତାଣୁ ସଂକ୍ରମଣକୁ ନେଇ ରାଜ୍ୟବାସୀ ଚିନ୍ତା କରନ୍ତୁ ନାହିଁ। ଆମ ରାଜ୍ୟରେ ଆରୋଗ୍ୟ ହାର ୬୫% ଏବଂ ମୃତ୍ୟୁହାର ୦.୫୪% ରହିଛି। ଆରୋଗ୍ୟ ହାରରେ ଆମେ ଅଧିକ ଓ ମୃତ୍ୟୁହାରରେ କମ୍ ରହିଛୁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।
ସର୍ଭେ କରୁଥିବା କର୍ମଚାରୀଙ୍କୁ ପ୍ରୋତ୍ସାହିତ ପାଇଁ ବ୍ୟବସ୍ଥା କରାଯାଇଛି। ଅଙ୍ଗନୱାଡ଼ି ଓ ଆଶାକର୍ମୀଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା ହୋଇଛି। କାହାରିଠାରେ ଲକ୍ଷଣ ଦେଖାଗଲେ ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାନ୍ତୁ। ଏବେ ୧୯ ଜାଗାରେ କୋଭିଡ୍ ଟେଷ୍ଟିଂ କରାଯାଉଛି। ଆଗାମୀ ଦିନରେ ଆଉ ୬ ଜାଗାରେ କୋଭିଡ୍ ଟେଷ୍ଟିଂ କରାଯିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଆଜି ଦିନରେ ୧୧ହଜାର ଟେଷ୍ଟ ହେଉଛି, ଆଗକୁ ଏହାର ସଂଖ୍ୟା ମଧ୍ୟ ବଢ଼ିବ।
୨ ମାସ ଆଗୁଆ ଯୋଜନା ହିସାବରେ ହସ୍ପିଟାଲ୍ରେ ବେଡ୍ ସଂଖ୍ୟା ବଢ଼ାଯାଇଛି। ଅଗଷ୍ଟ ୩୧ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଥିବାରୁ ହସ୍ପିଟାଲ୍ଗୁଡ଼ିକରେ ବେଡ୍ ସଂଖ୍ୟା ବଢ଼ାଇ ଦିଆଯାଇଛି। ଲକ୍ଷଣ ନ ଥିବା ରୋଗୀ ନିଜ ଘରେ ଚିକିତ୍ସିତ ହୁଅନ୍ତୁ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକେ ଘରେ ରହି ଚିକିତ୍ସିତ ହୋଇପାରିବେ। ଘରେ ରହିବା ବ୍ୟବସ୍ଥା ଥିଲେ ଘରେ ରହି ଚିକିତ୍ସିତ ହେବା ଆବଶ୍ୟକ। ଲକ୍ଷଣହୀନ ବ୍ୟକ୍ତି ଘରେ ରହି ଚିକିତ୍ସା ହୋଇପାରିଲେ ମେଡ଼ିକାଲ୍ରୁ ବୋଝ କମିଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।
Comments are closed.