Odisha Link
Bridging the Missing Links in Odisha

ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି ନେଇ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ସ୍ଥାନୀୟ ସେଚ୍ଚ ସଦନଠାରେ ଜଳସମ୍ପଦ ବିଭାଗ ଦ୍ୱାରା ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତି, ଡ୍ରେନେଜ୍ କାର୍ଯ୍ୟ, ସମ୍ବେଦନଶୀଳ ଅଞ୍ଚଳରେ ବନ୍ୟା ପ୍ରତିରୋଧକ ବନ୍ଧ ଓ ନଦୀବନ୍ଧର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି । ଏହାସହ ନାବାର୍ଡ ସହାୟତାରେ ରାଜ୍ୟ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ମଧ୍ୟ ଶ୍ରୀ ଦାସବର୍ମା ସମୀକ୍ଷା କରିଥିଲେ।

ଗୋକୁଳପୁରଠାରେ ଭାଗୀରଥୀ ନଦୀ ଉପରେ ନିର୍ମିତ ବ୍ରିଜ୍ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ସମସ୍ତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ଦାସବର୍ମା ନିର୍ଦ୍ଦେଶ ଦେଇଛନ୍ତି । ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ପୁରୀ ଜିଲ୍ଲାର ମଙ୍ଗଳାନଦୀର ଜଳ ନିଷ୍କାସନ ନିମନ୍ତେ ମୁହାଣ ଖୋଲା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ଭାର୍ଗବୀ, ଦୟା, ଲୁଣା, ରତ୍ନତିରା ଏବଂ ମକରା ନଦୀ ଯେପରି ସମୁଦ୍ରରେ ଅବାଧରେ ପ୍ରବେଶ କରିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଦକ୍ଷିଣ କଣିଆ ନଦୀର ଖନନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ, ମୁଖ୍ୟଯନ୍ତ୍ରୀ ବନ୍ୟା ନିୟନ୍ତ୍ରଣ ଓ ବେସିନ୍ ପରିଚାଳନା ଯୁଗଳ କିଶୋର ତ୍ରିପାଠୀ, ଅଧୀକ୍ଷଣ ଯନ୍ତ୍ରୀ କେନ୍ଦ୍ରୀୟ ଇରିଗେସନ୍ ସର୍କଲ ଚିନ୍ମୟ ରଞ୍ଜନ ରାଉତ, ପୁରୀ ଇରିଗେସନ୍ ଡିଭିଜନ୍‌ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାଉତ, ନିମାପଡ଼ା ଇରିଗେସନ୍ ଡିଭିଜନ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶଶିଭୂଷଣ ମିଶ୍ର, ଡ୍ରେନେଜ୍ ଡିଜିଜନ୍ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଭଗବାନ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.