Odisha Link
Bridging the Missing Links in Odisha

ଭିକ୍ଷୁକ ପାଣ୍ଡିଆନ୍‌ଙ୍କ ମହାନତା: ସିଏମ୍‌ କୋଭିଡ ରିଲିଫ ପାଣ୍ଠିକୁ ଦେଲେ ୯୦ ହଜାର ଟଙ୍କା

ମଦୁରାଇ: ବର୍ତ୍ତମାନର କରୋନା କାଳରେ ସରକାରଙ୍କ କୋଭିଡ ଫଣ୍ଡକୁ ବିଭିନ୍ନ ଲୋକ କିଛି ନା କିଛି ରିଲିଫ୍‌ ଦେଉଛନ୍ତି। ନେତାଠୁ ଜନତା ବଡ଼ ବ୍ୟବସାୟୀଙ୍କଠୁ ଆରମ୍ଭ କରି ଛୋଟ ବ୍ୟବସାୟୀ ସମସ୍ତେ କରୋନା କାଳରେ କିିଛି ଟଙ୍କା ମୁଖ୍ୟମନ୍ତ୍ରୀ କୋଭିଡ ଫଣ୍ଡକୁ ଦାନ କରିଛନ୍ତି। ଏମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ମଦୁରାଇ ଫୁଟପାଥରେ ରହୁଥିବା ଜଣେ ଭିକାରି, ପୁଲ୍ ପାଣ୍ଡିଆନ୍ କୋଭିଡ-୧୯ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଏଥିପାଇଁ ଜିଲ୍ଲା ଅଧିକାରୀ ତାଙ୍କୁ ପୁରସ୍କାର ଦେଇଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟମରେ ପୁଲ୍ ପାଣ୍ଡିଆନ୍ ଗତ ୩ ମାସରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୯୦ ହଜାର ଟଙ୍କା ଦାନ କରିଛନ୍ତି। ପୁଲ୍ ପାଣ୍ଡିଆନ୍ ମେ ୧୮ ତାରିଖରେ ପ୍ରଥମେ ୧୦ ହଜାର ଟଙ୍କା ଦାନ କରିଥିଲେ। ଏହାପରେ ସେ ୮ ଥର କଲେକ୍ଟର ଅଫିସକୁ ଆସିଛନ୍ତି। ପ୍ରତ୍ୟେକଥର ସେ ନିଜ ତରଫରୁ ୧୦ ହଜାର ଟଙ୍କା ଲେଖାଏଁ ଦାନ କରିଛନ୍ତି। ଏହିଭଳି ସେ ୯୦ ହଜାର ଟଙ୍କା ଦାନ କରିଛନ୍ତି।

ଜିଲ୍ଲା କଲେକ୍ଟର ସ୍ୱାଧୀନତା ଦିବସ ଅବସରରେ ପୁରସ୍କାର ପାଇବାକୁଥିବା ଲୋକଙ୍କ ତାଲିକାରେ ପୁଲ୍ ପାଣ୍ଡିଆନଙ୍କ ନାଁ ମଧ୍ୟ ସାମିଲ କରିଥିଲେ। ଏଥିପାଇଁ ତାଙ୍କୁ ଖୋଜିବାକୁ ପଡ଼ିନଥିଲା। ପୁଲ୍ ପାଣ୍ଡିଆନ୍ ଗୋଟିଏ ଜାଗାରେ ରୁହନ୍ତିନି। ସେଥିପାଇଁ ତାଙ୍କୁ କୋଉଠି ଖୋଜି ପାଇବେ ତାହା ଚିନ୍ତାର ବିଷୟ ଥିଲା। କିନ୍ତୁ ସୋମବାର ଦିନ ନବମ ଥର ପାଇଁ ଦାନ କରିବାକୁ ପୁଲ୍ ପାଣ୍ଡିଆନ୍ ନିଜେ ଅଫିସକୁ ଆସିଥିଲେ। ଏହାପରେ ତାଙ୍କୁ ସିଧା କଲେକ୍ଟରଙ୍କ ଚାମ୍ବରକୁ ନିଆଯାଇଥିଲା। ସେଠାରେ କଲେକ୍ଟର ତାଙ୍କୁ ପୁରସ୍କାର ଦେଇଥିଲେ।

ପୁଲ୍ ପାଣ୍ଡିଆନ୍ ତୁତିକୋରିନ ଜିଲ୍ଲା ନିବାସୀ। ତାଙ୍କର ଦୁଇ ପୁଅ। ତାଙ୍କର ଦୁଇ ପୁଅ ତାଙ୍କର ଦେଖାଶୁଣା କରିବାକୁ ମନା କରିଦେବାରୁ ସେ ଭିକ ମାଗି ଚଳୁଥିଲେ। ଏହା ପୂର୍ବରୁ ସେ ସରକାରୀ ସ୍କୁଲରେ ଟେବୁଲ, ଚୌକି କିଣିବାକୁ, ପାଣି ସୁବିଧା କରିବାକୁ ମଧ୍ୟ ସ୍କୁଲକୁ ଟଙ୍କା ଦାନ କରିଛନ୍ତି। ପୁଅମାନେ ତାଙ୍କ ମନ ଚିହ୍ନି ପାରିଲେନାହିଁ। କିନ୍ତୁ ନିଜେ ଅସୁବିଧାରେ ଥାଇ ମଧ୍ୟ ସେ ସମାଜ ପାଇଁ ଆଗେଇ ଆସିଛନ୍ତି।

Comments are closed.