କରୋନା : କଟକ ଓ ଭୁବନେଶ୍ୱରରେ କଡ଼ାକଡ଼ି ହେଲା ଚେକିଂ

ଭୁବନେଶ୍ବର: କଟକ ଓ ଭୁବନେଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଣ୍ଟା ଭିଡ଼ିଛି କମିସନରେଟ୍ ପୋଲିସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ନିର୍ଦ୍ଦେଶ ଦେବା ପରେ ଆକ୍ସନ ମୋଡ୍କୁ ଆସିଛି ପୋଲିସ। ଦୋକାନଗୁଡିକୁ ଯାଞ୍ଚ କରାଯାଉଛି। ଯେଉଁଠି ଅତ୍ୟଧିକ ଭିଡ଼ ଦେଖାଦେଉଛି କିମ୍ବା ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ଓ ମାସ୍କ ପିନ୍ଧୁନଥିବା ଦେଖାଯାଉଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଦୋକାନୀ ଓ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି।
ଆବଶ୍ୟକ ପଡ଼ିଲେ ଦୋକାନକୁ ମଧ୍ୟ ସିଲ୍ କରାଯାଉଛି। ଯାଞ୍ଚ ବେଳେ ପୋଲିସର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହୁଛନ୍ତି। ଯେଉଁ ଦୋକାନରେ ଅଧିକ ଭିଡ଼ ହେବ, ସେଥିପାଇଁ ଦୋକାନୀ ଦାୟୀ ରହିବେ ବୋଲି କହିଛନ୍ତି ପୋଲିସ କମିସନର। ଭୁବନେଶ୍ୱରକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇ ଯାଞ୍ଚ କରାଯିବ। ତେବେ କୋଭିଡ଼ି ସ୍ଥିତିକୁ ଦୃଷ୍ଟିରେ ରଖି ନିୟମ ପାଳନ କରିବାକୁ ଅପିଲ କରିଛନ୍ତି ପୋଲିସ କମିସନର।