ସୁଧ ଉପରେ ସୁଧ ଛାଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା କାଳରେ ବ୍ୟାଙ୍କ ଗୁଡ଼ିକ ରୁଣ ଉପରେ ମୋରାଟରିୟମ ଘୋଷଣା କରିଥିଲେ। ମାର୍ଚ୍ଚରୁ ଅଗଷ୍ଟ ୬ ମାସ ଯାଏଁ ଏହି ମୋରାଟରିୟମ ଘୋଷଣା କରାଯାଇଥିଲା। ଅର୍ଥାତ ଏହି ସମୟରେ ଲୋକଙ୍କ ରୋଜଗାର ଚାଲିଯିବା ସହ ଦରମା କାଟ ହେଉଥିବାରୁ ରୁଣ ଉପରେ ସୁଧ ପରିଷୋଧ କରିବା ପାଇଁ ଅସମର୍ଥ ଗ୍ରାହକ ଚାହିଁଲେ ସୁଧ ପରିଷୋଧ ପାଇଁ ଅତିରିକ୍ତ ସମୟ ନେଇପାରିବେ।
କିନ୍ତୁ ଆଶଙ୍କା ଥିଲା ଯେ, ସୁଧ ପରିଷୋଧ ନକଲେ ଗ୍ରାହକଙ୍କୁ ଅତିରିକ୍ତ ସୁଧ ଦେବାକୁ ପଡିବ। ଯାହାକୁ କମ୍ପାଉଣ୍ଡ ସୁଧ ବୋଲି କୁହାଯାଏ। ହେଲେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରି କହିଛନ୍ତି ଯେ, ସୁଧ ଉପରେ ସୁଧ ଆଦାୟ ନକରିବାକୁ ବ୍ୟାଙ୍କଗୁଡିକୁ କୁହାଯାଇଛି। ସୁପ୍ରିମକୋର୍ଟରେ ସରକାର କହିଛନ୍ତି ଯେ, ଏହି ବିପତି ସମୟରେ କ୍ଷୁଦ୍ର ରୁଣକାରୀଙ୍କ ସହିତ ସରକାର ଅଛନ୍ତି। ତେଣୁ ୨ କୋଟି ଯାଏଁ ରୁଣ ଉପରେ ଏହି ଅତିରିକ୍ତ ସୁଧ ବା ସୁଧ ଉପରେ ସୁଧ ଅସୁଲ କରାଯିବ ନାହିଁ ବୋଲି ଜଣାପଡିଛି।