ମନ୍ଦିର ଖୋଲିବା ଉଚିତ: ଅପରାଜିତା

ଭୁବନେଶ୍ବର: ମନ୍ଦିର ଖୋଲିବା ଉଚିତ କହିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଦିଲ୍ଲୀରୁ ଫେରି ଲିଙ୍ଗରାଜଙ୍କ ପୀଠକୁ ଯାଇ ମତ ରଖିଲେ ସାଂସଦ ଅପରାଜିତା। ସାଂସଦ କହିଛନ୍ତି ଯେ, ମନ୍ଦିର ଖୋଲିବା ନେଇ ଯାହାଙ୍କ ସହ ଅଲୋଚନା ଦରକାର କରିବି। ମନ୍ଦିର ଖୋଲିବା ନେଇ ସେବାୟତମାନେ ଦାବି କରି ଆସୁଛନ୍ତି।
ସୂଚନାଯୋଗ୍ୟ ଯେ, କରୋନା କଟକଣା ଭିତରେ ମନ୍ଦିର ଖୋଲିବା ଦାବିରେ ବାଜିଲା ଘଣ୍ଟଘଣ୍ଟା। ଆଜି ସକାଳ ୯ଟାରେ ୯ ମିନିଟ୍ ପାଇଁ ଘଣ୍ଟଘଣ୍ଟା ବଜାଇଲେ ରାଜ୍ୟର ସମସ୍ତ ସେବାୟତ। ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ବି ସେବାୟତମାନେ ଦାବି କରୁଛନ୍ତି। ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ଦାବି ନେଇ ପୁଣି ସ୍ବର ଉଠାଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ। ବାରମ୍ବାର ସରକାରଙ୍କୁ ନିବେଦନ ଓ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବା ପରେ ମଧ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତିକୁ ଝୁଲାଇ ରଖିବା ଦ୍ବାରା ସେବାୟତମାନେ ଦୁର୍ଦ୍ଦିନରେ ସମୟ ବିତାଉଛନ୍ତି। ଏନେଇ ଶ୍ରୀମନ୍ଦିର ଖୋଲିବା ଦାବିରେ ସହଯୋଗୀଙ୍କ ସହ ଧାରଣାରେ ବସିଲେ ଦାମୋଦର ମହାସୁଆର।
ପ୍ରକାଶ ଯେ, ଆସନ୍ତା ୭ ତାରିଖରେ ରାଜ୍ୟର ଲକ୍ଷାଧିକ ମନ୍ଦିର ସମ୍ମୁଖରେ ସେବାୟତମାନେ ସକାଳ ୯ଟାରେ ଘଣ୍ଟ ବାଡ଼େଇ ଏହାର ପ୍ରତିବାଦ କରିବେ। ଏହାବ୍ୟତୀତ ସେବାୟତଙ୍କ ପରିବାର ସଦସ୍ୟମାନେ ସେମାନଙ୍କ ଘର ସମ୍ମୁଖରେ ଘଣ୍ଟ ବାଡ଼େଇ ଏହାର ପ୍ରତିବାଦ କରିବେ। ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ସଂଘ ପକ୍ଷରୁ କୁହାଯାଇଛି ଯେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ମତେ ଜୁନ୍ ୮ ତାରିଖରୁ ସାରା ଦେଶରେ ଧର୍ମାନୁଷ୍ଠାନ ଖୋଲାଯାଇଥିଲେ ହେଁ ରାଜ୍ୟରେ ଏପର୍ଯ୍ୟନ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିଛି। ଏନେଇ ସଂଘ ପକ୍ଷରୁ ସଦସ୍ୟମାନେ ଉଚ୍ଚ ନ୍ୟାୟାଳୟକୁ ଯାଇଥିଲେ। କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ନ୍ୟାୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ଏନେଇ ଅଗଷ୍ଟ ୧୨ରେ ସଂଘର କର୍ମକର୍ତା ଦେବୋତ୍ତର ଆୟୁକ୍ତଙ୍କୁ ବି ଭେଟିଥିଲେ। ଅଗଷ୍ଟ ୨୮ରେ ଆଇନମନ୍ତ୍ରୀ ଓ ଦେବୋତ୍ତର ଆୟୁକ୍ତଙ୍କୁ ସାକ୍ଷାତ କରି ୮ ଦଫା ଦାବି ପତ୍ର ଦେବା ସହ ମନ୍ଦିର ଖୋଲିବାକୁ ନିବେଦନ କରିଥିଲେ। ମାତ୍ର ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଲେ ନାହିଁ।
Comments are closed.