Odisha Link
Bridging the Missing Links in Odisha

ଆଜିଠୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। କରୋନା କଟକଣା ମଧ୍ୟରେ ଆଜି ଏହି ପରୀକ୍ଷା ଅନୁଷ୍ଠିତ ହେବ। ଜେଇଇ ମେନ୍ ଢାଞ୍ଚାରେ ଅନୁଷ୍ଠିତ ହେବ ଓଜେଇଇ। ଆଜିଠାରୁ ଆରମ୍ଭ ହୋଇ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ଓଜେଇଇ। ୨୧ଟି ସହରରେ ୫୪ଟି ପରୀକ୍ଷା କେନ୍ଦ୍ରରେ ଓଜେଇଇ ଦେବେ ୮୦ହଜାରରୁ ଅଧିକ ପରୀକ୍ଷାର୍ଥୀ। ପରୀକ୍ଷା ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ୧୧ଟା, ଦ୍ବିତୀୟ ସିଟିଂ ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଓ ୩ୟ ସିଟିଂ ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ କରାଯିବ।

ଚଳିତ ବର୍ଷ ସର୍ବାଧିକ ୭୯,୭୮୮ ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି। ପ୍ରଥମ କରି ଓଜେଇଇ ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାରର ତିନିଟି ସହରରେ ୫ କେନ୍ଦ୍ର କରିଛି। ସେହିପରି ଓଡ଼ିଶାର ୨୧ଟି ସହରରେ ୫୪ ପରୀକ୍ଷାକେନ୍ଦ୍ର ହୋଇଛି। ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ, ବାରିପଦା, ଭଦ୍ରକ, ଢେଙ୍କାନାଳ, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ଜୟପୁର, ଝାରସୁଗୁଡା, ଫୁଲବାଣୀ, କେନ୍ଦୁଝର, ନୟାଗଡ, ରାୟଗଡା ଏବଂ ରାଉରକେଲା ସହରରେ କେନ୍ଦ୍ର କରାଯାଇଛି।

ଓଜେଇଇ ଅଧ୍ୟକ୍ଷ ଏସ୍‍.କେ ଚାନ୍ଦ କହିଛନ୍ତି, ଜେଇଇ ମେନ୍‍ ଢାଞ୍ଚାରେ ଓଜେଇଇ ଅନୁଷ୍ଠିତ ହେବ। କୋଭିଡ଼ ନିୟମ ପାଳନ କରାଯାଇ ପରୀକ୍ଷା ଅନୁଷ୍ଠିତ ହେବ। ଗୋଟିଏ କୋଠରୀରେ ଯେତିକି ସଂଖ୍ୟକ ସିଟ୍‍ ପଡ଼ିଥିବ ତା’ର ୫୦ ପ୍ରତିଶତ ସିଟ୍‍ରେ ବସି ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଯେଉଁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ ଥିବ ସେମାନେ ପରୀକ୍ଷା ଦେଇପାରିବେ। ଏଥିପାଇଁ ଆଇସୋଲେସନ କୋଠରୀ ବ୍ୟବସ୍ଥା ହୋଇଛି। ଆଇସୋଲେସନ କୋଠରୀରେ ଯେଉଁ ନିରୀକ୍ଷକ ନିୟୋଜିତ ହେବେ ସେମାନେ ପିପିଇ କିଟ୍‌ ପିନ୍ଧିବାର ବ୍ୟବସ୍ଥା କରାଯାଇଛି।

Comments are closed.