ମିଠା ବ୍ୟବସାୟୀ ହତ୍ୟା ଘଟଣା : ଆଉ ୨ ଗିରଫ

ଭୁବନେଶ୍ୱର: ସାମନ୍ତରାପୁରରେ ମିଠା ବ୍ୟବସାୟୀ ହତ୍ୟା ଘଟଣା ସହ ସଂପୃକ୍ତ କମିସନରେଟ୍ ପୁଲିସ୍ ଆଉ ୨ଜଣଙ୍କୁ ଗିରଫ କରିଛି। ଏହି ଘଟଣା ଅଭିଯୋଗରେ ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି। ଉଭୟଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ଏହି ଦୁଇ ଜଣ ଯୁବକ ମିଠା ଦୋକାନୀଙ୍କୁ ହତ୍ୟା କରିବା ପାଇଁ ୪୦ ହଜାର ଟଙ୍କା ଲେଖାଏଁ ସୁପାରି ନେଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।
ଏଥିସହିତ ଦୁଇ ଅଭିଯୁକ୍ତଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଖଣ୍ଡା ଏବଂ ବାଇକ୍ ଜବତ କରିଛି ସ୍ପେସାଲ ସ୍କ୍ବାଡ୍। ମିଠା ବ୍ୟବସାୟୀ ଜମ୍ବୁ ସାହୁ ହତ୍ୟା ଘଟଣାରେ ଏପର୍ଯ୍ୟନ୍ତ ୮ଜଣଙ୍କ ସମ୍ପୃକ୍ତି ପଦାକୁ ଆସିଲାଣି। ଦୁଇ ମୁଖ୍ୟ ହତ୍ୟାକାରୀଙ୍କୁ ମିଶାଇ ଅନ୍ୟ ଜଣେ ଆଶ୍ରୟଦାତାକୁ ପୁଲିସ ଠାବ କରିଛି। ହତ୍ୟାର ୬ ଷଡ଼ଯନ୍ତ୍ରକାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିସାରିଛି।
ସୂଚନାଯୋଗ୍ୟ, ସୁପାରି କିଲର୍ଙ୍କ ସନ୍ଧାନରେ କମିସନରେଟ୍ ପୁଲିସ୍ର ସ୍ପେସାଲ ସ୍କ୍ବାଡ୍ ବ୍ରହ୍ମପୁରରେ ପହଞ୍ଚିଥିଲା। ପରେ ସୁପାରି କିଲର୍ ଦୁଇଜଣ ନୁହନ୍ତି, ବରଂ ୩ଜଣ ବୋଲି ଜଣାପଡ଼ିଥିଲା। ଜଣେ ମାଷ୍ଟରମାଇଣ୍ଡ୍ ଥିବା ବେଳେ ଅନ୍ୟ ଦୁଇଜଣ ତା’ ପାଇଁ କାମ କରନ୍ତି ବୋଲି ପୁଲିସ୍ ଜାଣିବାକୁ ପାଇଥିଲା। ପୂର୍ବରୁ ରାଜ୍ୟ ବାହାରେ ମଧ୍ୟ ସେମାନେ ଟଙ୍କା ନେଇ ହତ୍ୟାକାଣ୍ଡ କରୁଥିବା ପୁଲିସ୍ ସୁରାକ୍ ପାଇଥିଲା।