Odisha Link
Bridging the Missing Links in Odisha

ପେପର ବଏରୁ ଭାରତର ରାଷ୍ଟ୍ରପତି, ଆଜି ପିପୁଲ୍ସ ପ୍ରେସିଡେଣ୍ଟ୍‌ଙ୍କ ଜନ୍ମଦିନ

ନୂଆଦିଲ୍ଳୀ: ଯାହା ପାଖରେ ଜାତି ଧର୍ମ ହାର ମାନିଛି। ଯାହାଙ୍କ ନାମ ଶୁଣିଲେ ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଓଠରେ ହସ ଫୁଟିଥାଏ। ଆଜି ଭାରତ ମାତାର ସେହି ସୁଯୋଗ୍ୟ ସନ୍ତାନଙ୍କର ଜନ୍ମଦିବସ। ଆଜି ‘ମିଶାଇଲ୍‌ ମ୍ୟାନ୍‌’ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ୮୯ ତମ ଜନ୍ମ ଦିବସ। ଅବଦୁଲ କଲାମଙ୍କ ଜନ୍ମଦିବସକୁ ମଧ୍ୟ ବିଶ୍ବ ବିଦ୍ୟାର୍ଥୀ ଦିବସ ଭାବେ ପାଳନ କରାଯାଏ। ଆଜି ଏପିଜେ ଅବଦୁଲ କାଲାମଙ୍କ ଜନ୍ମଦିବସ ଅବସରରେ ଜାଣନ୍ତୁ କିଛି ଅଜଣା କଥା।


ଜୀବନ ଯାତ୍ରା:
କଲାମଙ୍କ ପୁରା ନାଁ ଅଭୁଲ ପାକିର ଜୈନୁଲାବଦ୍ଦୀନ ଅବଦୁଲ କଲାମ। ୧୫ ଅକ୍ଟୋବର ୧୯୩୧ ମସିହାରେ ତାମିଲନାଡୁର ରାମେଶ୍ଵରମ ଗାଁରେ ଏକ ଗରୀବ ମୁସଲମାନ ପରିବାରରେ ତାଙ୍କର ଜନ୍ମ। ବାପା ଜୈନୁଲାବୁଦ୍ଦୀନ ପେଶାରେ ଥିଲେ ନାଉରୀ। ପର୍ଯ୍ୟଟକଙ୍କୁ ରାମେଶ୍ୱରମରୁ ଧନୁଷକୋଡି ଯାଏଁ ଡଙ୍ଗାରେ ନେବା ଆଣିବା କରୁଥିଲେ ସେ। ଆଉ ସେଇଥିରେ କଲାମଙ୍କ ପରିବାରର ଗୁଜୁରାଣ ମେଂଟୁ ଥିଲା। ରାମନାଥପୁରରେ ସ୍କୁଲିଂ ପରେ ତିରୁଚିଲାପଲ୍ଲୀର ସେଂଟ ଯୋଶେଫ କଲେଜରେ ଫିଜିକ୍ସ ପଢିଥିଲେ। ୧୯୬୦ରେ ଏରୋସ୍ପେସ ଇଂଜିନିୟରିଂରେ ଡିଗ୍ରୀ ହାସଲ କଲାପରେ ଡିଆରଡିଓରେ ଯୋଗ ଦେଇଥିଲେ। ନିଜର ବୁଦ୍ଧି ଓ କଠିନ ପରିଶ୍ରମ ବଳରେ ସେ ବିଜ୍ଞାନ ଶିକ୍ଷାରେ ପ୍ରସିଦ୍ଧି ହାସଲ କରିଥିଲେ ଏବଂ ଭାରତର ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇପାରିଥିଲେ। କେବଳ ଏତିକି ନୁହେଁ, ସେ ପ୍ରମାଣ କରିଦେଇଥିଲେ ଯେ, ଯଦି କୌଣସି ଲକ୍ଷ୍ୟକୁ ପାଇବା ପାଇଁ ମଣିଷ ଦୃଢ଼ ସଂକଳ୍ପ ନେଇଥାଏ, ତେବେ ତାହା ପାଇବା କିଛି ଅସମ୍ଭବ ନୁହେଁ। ୧୯୬୩ ମସିହାରେ ସେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ (ISRO)ରେ ଜଡ଼ିତ ହୋଇ ଭାରତକୁ ଶକ୍ତଶାଳୀ ରାଷ୍ଟ୍ର ବନାଇବାରେ ଯୋଗଦାନ ଦେଇଥିଲେ ଏବଂ ସାଟେଲାଇଟ୍ ଲଞ୍ଚ ଭେହିକିଲ୍ (SLV) ପ୍ରୋଜେକ୍ଟରେ ମଧ୍ୟ ସାମିଲ ହୋଇଥିଲେ। ୨୦୧୫ ମସିହା ଜୁଲାଇ ୨୭ ତାରିଖରେ ମିଶାଇଲ ମ୍ୟାନ୍‌ ମୃତ୍ୟୁବରଣ କରିଥିଲେ। ଏକ ସଭାରେ ଭାଷଣ ଦେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରଥମ ରୋଜଗାର:
ମିଜାଇଲ ମ୍ୟାନ ବା ଦିବଂଗତ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ପାଠ ପଢିଲାବେଳେ ଖବରକାଗଜ ବାଣ୍ଟୁ ଥିଲେ। ଏକଥା ପ୍ରାୟ ସମସ୍ତେ ଜାଣିଛନ୍ତି। ମାତ୍ର ଏହା ଯେ ତାଙ୍କର ପ୍ରଥମ ରୋଜଗାର ନଥିଲା ତାହା ପ୍ରାୟ କେହି ଜାଣିନଥିବେ। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଦେଖାଦେଲା। ସେତେବେଳେ ସ୍କୁଲରେ ପଢୁଥିବା କଲାମ ଚିନ୍ତାକଲେ କିଥି ରୋଜଗାର କରି ପରିବାର ଚଳାଇବାରେ ସାହାଯ୍ୟ କରିବାକୁ। ଆଉ ଆରମ୍ଭ କରିଥିଲେ ତେନ୍ତୁଳି ମଞ୍ଜି ସଂଗ୍ରହ କାମ। ସେତେବେଳେ କୌଣସି କାରଣରୁ ତେନ୍ତୁଳି ମଞ୍ଜିର ଡିମାଣ୍ଡ ଥିଲା। କଲାମ ଜମା କରୁଥିବା ତେନ୍ତୁଳି ମଞ୍ଜିକୁ ଦୋକାନରେ ବିକ୍ରି କରୁଥିଲେ ଆଉ ତାଙ୍କୁ ସେତେବେଳେ ଏଥିପାଇଁ ଏକ ଅଣା ମିଳୁଥିଲା। ୧୯୫୭ ପର୍ଯ୍ୟନ୍ତ ଭାରତରେ ଅଣା ପ୍ରଚଳିତ ଥିଲା। ୪ ପଇସାରେ ଏକ ଅଣା।

ଦାୟିତ୍ବ:
ସେ ଭାରତର ୧୧ତମ ରାଷ୍ଟ୍ରପତି ଭାବେ ୨୦୦୨ରୁ ୨୦୦୭ ପର୍ପ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ। ଅବଦୁଲ କଲାମ ଏକାଧିକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କଦ୍ୱାରା ଲିଖିତ ‘ଇଗନାଇଟେଡ୍ ମାଇଣ୍ଡସ୍, ‘ୱିଙ୍ଗସ୍ ଅଫ୍ ଫାୟାର’ ଓ ଇଣ୍ଡିଆ ୨୦୨୦- ଏ ଭିଜନ୍ ଫର୍ ଦ ନ୍ୟୁ ମିଲେନିୟମ୍ ଦେଶର କୋଟି କୋଟି ଲୋକଙ୍କ ଲାଗି ପ୍ରେରଣାର ଉତ୍ସ ସାଜିଛି। ‘ୱିଙ୍ଗସ୍ ଅଫ୍ ଫାୟାର’ ହେଉଛି ତାଙ୍କର ଆତ୍ମଜୀବନୀ।

ସମ୍ମାନ:
୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ। ୧୯୯୭ ମସିହାରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ’ଭାରତରତ୍ନ’ ପ୍ରଦାନ କରାଯାଇଥିଲା।

ମନେପଡ଼େ ଅବଦୁଲ କଲାମଙ୍କ କିଛି କଥା:
ଅବଦୁଲ କଲାମ ସିନା ପରଲୋକ ପ୍ରାପ୍ତି ହେଲେ କିନ୍ତୁ କହି ଯାଇଥିବା କିଛି କଥା ଏବେବି ଅମର ହୋଇ ରହିଛି। ଆସନ୍ତୁ ଜାଣିବା

‘ସ୍ୱପ୍ନ ତାହା ନୁହେଁ, ଯାହା ଶୋଇବା ସମୟରେ ଆସେ। ସ୍ୱପ୍ନ ତାହା, ଯାହା ଆମକୁ ଶୋଇବାକୁ ଦିଏନାହିଁ।’
‘ଆମ ସମସ୍ତଙ୍କ ପାଖରେ ସମାନ ପ୍ରତିଭା ନ ଥାଏ, ହେଲେ ନିଜ ପ୍ରତିଭାର ବିକାଶ ପାଇଁ ସମସ୍ତଙ୍କ ପାଖରେ ସମାନ ସୁଯୋଗ ରହିଥାଏ।’
‘ସଫଳତାର କାହାଣୀ ପଢ଼ ନାହିଁ, ଏଥିରୁ ଆପଣଙ୍କୁ କେବଳ ଏକ ବାର୍ତ୍ତା ମିଳିବ। ବିଫଳତାର କାହାଣୀ ପଢ଼, ଏହା ଆପଣଙ୍କୁ ସଫଳତାର ରାସ୍ତା ଦେଖାଇବ।’
ଏହିପରି ଭବ୍ୟ ବିଚାର ରଖୁଥିବା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ. ଅବଦୁଲ କଲାମ୍ ଇତିହାସରେ ନିଜର ଏକ ଅଲିଭା ଛାପ ଛାଡି ଯାଇଛନ୍ତି।

ମିଶାଇଲ ମ୍ୟାନ୍ ନାଁରେ ପ୍ରସିଦ୍ଧ ଡା. କଲାମ୍। ତାଙ୍କୁ ପିପୁଲ୍ସ ପ୍ରେସିଡେଣ୍ଟ୍ ମଧ୍ୟ କୁହାଯାଏ। ସେ କହୁଥିଲେ, ‘ଅପେକ୍ଷା କରୁଥିବା ବ୍ୟକ୍ତିଙ୍କୁ କେବଳ ତାହା ମିଳିଥାଏ, ଯାହା ଚେଷ୍ଟା କରିଥିବା ବ୍ୟକ୍ତି ଛାଡି ଯାଇଥାଏ’। ଏପରି ପ୍ରେରଣାଦାୟୀ କଥା ସେ ପିଲାମାନଙ୍କୁ କହୁଥିଲେ। ନିଜ ମୃତ୍ୟୁର କିଛି ମୁହୂର୍ତ୍ତ ପୂର୍ବରୁ ମଧ୍ୟ ସେ ଶିଲଂର ଆଇ.ଆଇ.ଏମ୍। ଛାତ୍ରଙ୍କୁ ସମ୍ବୋଧନ କରିବାକୁ ପହଞ୍ଚିଥିଲେ। ତାଙ୍କ ଡାଏରୀରେ ସବୁ ଦିନର କାର୍ଯ୍ୟକ୍ରମ ଲେଖା ହୋଇଥାଏ। ଏପରିକି ୬ ମାସ ପରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ମଧ୍ୟ ସେ ଆରମ୍ଭ କରି ଦେଇଥାନ୍ତି କାମ।

Comments are closed.