Odisha Link
Bridging the Missing Links in Odisha

ଆଜି ଗଡ଼ିବ ମା ବିରଜାଙ୍କ ରଥ

ଯାଜପୁର: ଆଜିଠାରୁ ଆରମ୍ଭ ହେବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା। ମା’ ବିରଜାଙ୍କ ସିଂହଧ୍ବଜ ରଥ ୯ ଦିନ ଧରି ବେଢା ପରିକ୍ରମା କରିବ । ଅପରାହ୍ନ ୫ଟାରେ ହେବ ରଥଟଣା। କୋଭିଡ କଟକଣା ଭିତରେ ରଥ ଟଣାହେବ। ରଥ ଟାଣିବାକୁ ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି। କେବଳ ଅଙ୍ଗଲାଗି ସେବାୟତ ମାନଙ୍କ ଦ୍ବାରା ମା’ଙ୍କ ରଥ ଟଣାହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ହେବ ରଥଯାତ୍ରା।

ମନ୍ଦିରର ପଶ୍ଚିମ ଦ୍ବାର ବ୍ୟତୀତ ଅନ୍ୟ ୩ଟି ପାର୍ଶ୍ବରେ ୧୪୪ ଲାଗୁ କରାଯାଇଛି। ସମସ୍ତଙ୍କ ଦୋକାନ ବଜାର ବନ୍ଦ ରହିଛି ଓ ଲୋକମାନଙ୍କ ଯାତାୟତକୁ ବାରଣ କରାଯାଇଛି। କିନ୍ତୁ ପଶ୍ଚିମ ପାର୍ଶ୍ବ ମୁଖ୍ୟ ରାସ୍ତା ହୋଇଥିବାରୁ ଗ‌ାଡି ଚଳାଚଳର ସମସ୍ୟାକୁ ଦୃଷ୍ଟିରେ ରଖି ଅପରାହ୍ନ ୩ଟା ୩୦ମିନିଟରୁ ୬ଟା ୩୦ମିନିଟ୍ ପର୍ଯ୍ୟନ୍ତ ସେଠାରେ ୧୪୪ କାର୍ଯ୍ୟକାରି କରାଯାଇଛି। ଅପରାହ୍ନ ୪ ଟାରୁ ୬ ମଧ୍ୟରେ ରଥଟଣା କାର୍ଯ୍ୟ ରହିଥିବା ‌ବେଳେ ପୂର୍ବ ପରି ପ୍ରସ୍ତୁତି ପାଇଁ ଆଉ ଅଧ ଘଣ୍ଟାଏ ସମୟ ଦିଆଯାଇଥିବା ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି।

ସେପଟେ ଯାଜପୁର ଏସପି ଚରଣ ସିଂ ମୀନା ମନ୍ଦିର ପରିସର ବୁଲି ଦେଖିବା ସହ ଆଇନ ଶୃଙ୍ଖଳାକୁ ଗୁରୁତ୍ବ ଦେଇଛନ୍ତି। ରଥଯାତ୍ରା ପାଇଁ ୨ ଜଣ ଇନିସପେକ୍ଟର, ୭ ଜଣ ସବ ଇନିସପେକ୍ଟର, ୯ ଜଣ ଏଏସଆଇ, ୪୧ ହୋମଗାର୍ଡଙ୍କ ସହ ୪ ପ୍ଲାଟୁନ ଏବଂ ଗୋଟିଏ ସେକ୍ସନ ପୋଲିସ ମୁତୟନ କରାଯାଇଛି ।

Comments are closed.