Odisha Link
Bridging the Missing Links in Odisha

ଜାନୁଆରୀ ୧ ସୁଦ୍ଧା ଜମି ଅଧିଗ୍ରହଣ ସାର: ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରର ଚତୁଃପାର୍ଶ୍ବ କାର୍ଯ୍ୟ ତଦାରଖ କରିଛନ୍ତି। ପୁରୀର ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ହେରିଟେଜ୍‌ କରିଡର ଅନୁଧ୍ୟାନ କରିବା ପରେ ବେଢ଼ା ପରିକ୍ରମା କରିବା ସହ ୩ ମାସରେ ଜମି ଅଧିଗ୍ରହଣ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନୁଆରୀ ୧ ମଧ୍ୟରେ ଜମି ଅଧିଗ୍ରହଣ ସାରିବାକୁ ମଧ୍ୟ କହିଛନ୍ତି। ଜମି ଅଧିଗ୍ରହଣ ପରେ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପୁରୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚଉହଦୀରେ ହୋଇଥିବା ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ଏହାପରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ । ଭୁବନେଶ୍ବର ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ କି ମୁଁ ଶ୍ରୀଜଗନ୍ନାଥ ମନ୍ଦିର ବାହାରେ ହୋଇଥିବା କାର୍ଯ୍ୟ ତଦାରଖ କରିବାକୁ ଆଜି ପୁରୀ ଆସିଛି। ଏହାପରେ ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ କ୍ରିଷନ୍ କୁମାର ଗଣମାଧ୍ୟମକୁ ଶ୍ରୀମନ୍ଦିରର ଚତୁଃପାର୍ଶ୍ବର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ହୋଇଥିବା ପ୍ରକାଶ କରିଥିଲେ। ଏଥିସହ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ସବୁ କାର୍ଯ୍ୟ ସମାପିତ ହେବ। ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର, ୫-ଟି ସଚିବ ଭି.କେ. ପାଣ୍ଡିୟାନ୍, ପୁରୀ ଜିଲ୍ଲାପାଳ, ଏସପି ଏବଂ ବହୁ ବରିଷ୍ଠ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ।

Comments are closed.