Odisha Link
Bridging the Missing Links in Odisha

ବିବାଦରେ ବୈଜୟନ୍ତଙ୍କ ଟ୍ୱିଟ୍

ଭୁବନେଶ୍ବର: ଅଶ୍ଲୀଳ ଭିଡ଼ିଓ ଭାଇରାଲ ମାମଲାରେ ଓଟିଭି ସାମ୍ବାଦିକଙ୍କୁ ପୋଲିସ ଉଠାଇନେବା ଓ ପଚାରଉଚରା କରିବା ଘଟଣାକୁ ପାକିସ୍ତାନର ଆଇନ ସହ ତୁଳନା କରି ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ବିଜେପିର ଉପସଭାପତି ବୈଜୟନ୍ତ ପଣ୍ଡା। ଓଡ଼ିଶା ସହ ପାକିସ୍ତାନକୁ ତୁଳନା କରିବାକୁ ମଧ୍ୟ ପଛାଇଲେ ନାହିଁ । ନିଜ ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓଡିଶା ସମ୍ୱନ୍ଧୀତ ଏକ ହୀନ ମନ୍ତବ୍ୟ ରଖିଛନ୍ତି। ମହିଳା ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ମିଛ ଅଶ୍ଲୀଳ ଭିଡିଓ ଭାଇରାଲ ପ୍ରସଙ୍ଗରେ ଅଭିଯୁକ୍ତ ସାମ୍ବାଦିକ ରମେଶ ରଥଙ୍କୁ ପଚରାଉଚରା କରୁଛି ପୋଲିସ। ଓଟିଭିର ସଂପୃକ୍ତ ସାମ୍ବାଦିକ ଆଇନ ଉଲ୍ଲଂଘନ କରୁଥିଲେ ବି ତାଙ୍କୁ ସୁରକ୍ଷା ଦେବାକୁ ବୈଜୟନ୍ତ ଏବଂ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ସବୁ ପ୍ରକାର ଉଦ୍ୟମ କରୁଛନ୍ତି।

ଏପିରିକି ଆହୁରି ତଳକୁ ଓହ୍ଲାଇଯାଇ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ଟ୍ୱିଟ୍ କରିଛନ୍ତି ବୈଜୟନ୍ତ। ତାଙ୍କର ଏଭଳି ଟ୍ୱିଟକୁ ଦୃଢ ବିରୋଧ କରିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ପ୍ରଣବ ଟ୍ୱିଟ୍ କରି ଲେଖିଛନ୍ତି ଯେ ନିଜ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରି ଆହୁରି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି ବୈଜୟନ୍ତ। ବୈଜୟନ୍ତ ପଣ୍ଡା ଓଡ଼ିଶାର ସଂସ୍କୃତି ଏବଂ ଓଡ଼ିଶାବାସୀଙ୍କୁ ଅପମାନିତ କରିଥିବା ଟ୍ୱିଟ୍ ଯୋଗେ କହିଛନ୍ତି ପ୍ରଣବ।

ସେହିପରି ବୈଜୟନ୍ତଙ୍କୁ କଡ଼ା ସମାଲୋଚନା କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ଅନୁଭବ ଟ୍ବିଟ୍‌ କରି ବୈଜୟନ୍ତଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ ଏ ମାଟି ତୁମକୁ ଓ ତୁମ ପରିବାରକୁ ବହୁତ କିଛି ଦେଇଛି। ଜଗନ୍ନାଥଙ୍କ ଭୂମିକୁ ପାକିସ୍ତାନ ସହ ତୁଳନାର ଦୁଃସାହସ କିପରି କଲ ?’ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ। ୨୦୧୯ ପୂର୍ବରୁ କେନ୍ଦ୍ରାପଡ଼ାରୁ ପ୍ରତିନିଧିତ୍ୱ କରୁଥିଲ। କେନ୍ଦ୍ରାପଡ଼ା କ’ଣ ପାକିସ୍ତାନରେ ଅଛି ? ଯଦି ସେପରି ଭାବୁଛ ତାହେଲେ ଓଡ଼ିଶା ଛାଡ଼ି ଚାଲିଯାଅ’ ବୋଲି ଅନୁଭବ ଟ୍ବିଟ୍ କରି ଲେଖିଛନ୍ତି।

ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟକୁ ନେଇ ବର୍ଷିଲେ ବିଜେଡି ନେତା ଦେବାଶିଷ ସାମନ୍ତରାୟ। ବୈଜୟନ୍ତ ଭାରତ ଛାଡ଼ି ପାକିସ୍ତାନରେ ରୁହନ୍ତୁ ବୋଲି ଦେବାଶିଷ କହିଛନ୍ତି। ଉତ୍ତରପ୍ରଦେଶ ଘଟଣାରେ କାହିଁକି ଚୁପ ଥିଲେ ବୈଜୟନ୍ତ ବୋଲି ପ୍ରଶ୍ନ କରିବା ସହ ମହିଳାଙ୍କୁ ବୈଜୟନ୍ତ ସମ୍ମାନ ଦେବା ଜାଣି ନାହାନ୍ତି ବୋଲି କହିଛନ୍ତି। ଟ୍ୱିଟ କରି ନାରୀ ନିର୍ଯାତନାକୁ ସମର୍ଥନ କରୁଛନ୍ତି ବୈଜୟନ୍ତ। ତାଙ୍କୁ ଲାଜ ଲାଗିବା କଥା ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି।

Comments are closed.