Odisha Link
Bridging the Missing Links in Odisha

ଓଡ଼ିଶାକୁ ପାକିସ୍ତାନ ସହ ତୁଳନା, ସ୍ପଷ୍ଟୀକରଣ ରଖିଲେ ବୈଜୟନ୍ତ

ଭୁବନେଶ୍ବର: ଅଶ୍ଲୀଳ ଭିଡ଼ିଓ ଭାଇରାଲ ମାମଲାରେ ଓଟିଭି ସାମ୍ବାଦିକଙ୍କୁ ପୋଲିସ ଉଠାଇନେବା ଓ ପଚାରଉଚରା କରିବା ଘଟଣାକୁ ପାକିସ୍ତାନର ଆଇନ ସହ ତୁଳନା କରି ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ବିଜେପିର ଉପସଭାପତି ବୈଜୟନ୍ତ ପଣ୍ଡା। ଓଡ଼ିଶା ସହ ପାକିସ୍ତାନକୁ ତୁଳନା କରିଛନ୍ତି ବୈଜୟନ୍ତ।

ଏନେଇ ବୈଜୟନ୍ତ ପଣ୍ଡା ଟୁଇଟରେ ଲେଖିଥିଲେ- ମହାରାଷ୍ଟ୍ର ଓ ଓଡ଼ିଶା ପୁଲିସ୍, ସାମ୍ବାଦିକଙ୍କୁ ଉଠାଇନେବା, ଦୁର୍ବ୍ୟବହାର କରିବା ଓ ହେପାଜତକୁ ନେଇ ଜେରା କରିବା ଲଜ୍ଜାଜନକ। ତା ପୁଣି, ପୁଲିସ ଆଇନର ବିନା ପ୍ରକ୍ରିୟାରେ କରୁଛି, ଠିକ୍ ପାକିସ୍ତାନ ଭଳି। ଏହା ହେଉଛି ପ୍ରକୃତ ଫାଶୀବାଦ। ରାସ୍ତାରୁ ସାମ୍ବାଦିକଙ୍କୁ ଉଠାଇ ନେବା ଘଟଣା ପାକିସ୍ତାନର ବାଲୁଚିସ୍ତାନରେ ଘଟୁଥିବା ଆମେ ପଢିଛୁ। ଏବେ ଓଡ଼ିଶା ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଘଟୁଛି।

ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ନିନ୍ଦନୀୟ ବୋଲି ନେତାଠୁ ଜନତା ସମସ୍ତେ ପ୍ରତିକ୍ରିୟା ଦେଇଛନ୍ତି। ଏହା ପରେ ଟୁଇଟ ମାଧ୍ୟମରେ ନିଜ ସ୍ପଷ୍ଟୀକରଣ ରଖିଛନ୍ତି ବୈଜୟନ୍ତ। ବୈଜୟନ୍ତ କହିଛନ୍ତି, ମୁଁ ଯାହା କହିଥିଲି ତାହାର ଅର୍ଥକୁ ବିକୃତ କରିବାକୁ ବିଜେଡି ଆତୁର। ଯିଏ ଚାହିଁବେ ମୋ ଟୁଇଟ୍ ପଢିପାରିବେ, ସାକ୍ଷାତକାର ଦେଖିପାରିବେ। ଓଡିଶା ପାକିସ୍ତାନ ଭଳି ମୁଁ କହି ନଥିଲି। ଓଡିଶା ଓ ମହାରାଷ୍ଟ୍ର ପୋଲିସ ଆଇନଗତ ପ୍ରକ୍ରିୟାକୁ ଅବମାନନା କରିଛନ୍ତି। ଆଇନଗତ ପ୍ରକ୍ରିୟାକୁ ଅବମାନନା କରି ପାକ୍ ଭଳି ବ୍ୟବହାର କରୁଛନ୍ତି ବୋଲି ବୈଜୟନ୍ତ ସ୍ପଷ୍ଟୀକରଣ ଦେଇଛନ୍ତି।

ସୂଚନାଯୋଗ୍ୟ, ବୈଜୟନ୍ତଙ୍କ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା ଟୁଇଟ ପରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି- ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ନିନ୍ଦନୀୟ। କେନ୍ଦ୍ରାପଡ଼ା ସାଂସଦ ଟ୍ୱିଟ୍ କରି ଲେଖିଛନ୍ତି- ମିଷ୍ଟର ପଣ୍ଡା ୨୦୧୯ରେ ଆପଣ ଏହି ମାଟିରୁ ପରାସ୍ତ ହୋଇଥିଲେ, ଯାହାକୁ ଆପଣ ପାକିସ୍ତାନ ସହ ତୁଳନା କରୁଛନ୍ତି। କେନ୍ଦ୍ରାପଡ଼ା କ’ଣ ପାକିସ୍ତାନରେ ଅଛି? ଯଦି ହଁ, ତୁରନ୍ତ ଓଡ଼ିଶା ଛାଡ଼ି ଚାଲିଯାଆନ୍ତୁ।

ସେହିପରି ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ କରି ଲେଖିଛନ୍ତି-ନିଜ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରିବା ଭଳି ଲଜ୍ଜାକର ଘଟଣା ଆଉ କିଛି ନାହିଁ। ଏହା ଓଡିଶା ସଂସ୍କୃତି, ଓଡିଆ ଲୋକଙ୍କ ପାଇଁ ଘୋର ଅସମ୍ମାନ। ତୁମର ସଦବୁଦ୍ଧି ଉଦୟ ହେଉ, ଏହା କେନ୍ଦ୍ରାପଡା ବାସୀଙ୍କ ପାଇ ଅପମାନ, ଓଡିଶା ପ୍ରତି ଅପମାନ। ବିଜେଡି ସାଂସଦ ସସ୍ମିତ ପାତ୍ର ଟ୍ୱିଟ୍ କରି ଲେଖିଛନ୍ତି- ବୈଜୟନ୍ତ ପଣ୍ଡାଙ୍କୁ ଓଡିଶା, ପାକିସ୍ତାନ ଭଳି ମନେ ହେବା ଦୁର୍ଭାଗ୍ୟଜନକ। ଯେଉଁ ରାଜ୍ୟ ତାଙ୍କୁ ସଂସଦର ଉଭୟ ସଦନକୁ ପଠାଇଥିଲା, କେନ୍ଦ୍ରାପଡାବାସୀ, ତୁଳସୀ କ୍ଷେତ୍ର ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା, ବୈଜୟନ୍ତ ପଣ୍ଡା ଓଡିଶାକୁ ପାକିସ୍ତାନ ସହ ତୁଳନା କରିବା ଓଡିଆଙ୍କ ପ୍ରତି ଅପମାନ, ଓଡିଆ ସଂସ୍କୃତିର ଅପମାନ।

 

 

 

 

 

Comments are closed.