Odisha Link
Bridging the Missing Links in Odisha

ସାନିଟାଇଜ୍‌ ହେଲା ସ୍ବର୍ଗଦ୍ବାର

ପୁରୀ: ପୁରୀ ସ୍ୱର୍ଗଦ୍ୱାରରୁ କଟକଣା ଉଠିବା ପରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି। ଅଗ୍ନିଶମ ବିଭାଗ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱର୍ଗଦ୍ୱାର ପରିସର, ଚାରିପାଖ ଓ ଅଫିସକୁ ସାନିଟାଇଜ କରାଯାଇଛି। ବାହାର ଜିଲ୍ଲା ଲୋକଙ୍କ ଶବ ସଂସ୍କାର ପାଇଁ ଅନୁମତି ମିଳିଥିବାରୁ ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇ ପ୍ରଦୂଷଣ ଓ ସଂକ୍ରମଣ ମୁକ୍ତ କରାଯାଇଛି। ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ଜିଲ୍ଲାର ଶବଦାହ କଟକଣା ହଟାଯାଇଥିଲା। ତେବେ କୋଭିଡ କଟକଣା ବଳବତ୍ତର ରହିଛି। ସ୍ୱର୍ଗଦ୍ୱାରରେ କୋଭିଡ୍‌ ରୋଗୀଙ୍କ ଶବଦାହ ଉପରେ କଟକଣା ଜାରି ରହିଛି ।

ପ୍ରକାଶ ଯେ, ଗତ ଜୁଲାଇ ମାସରେ କରୋନା ମହାମାରୀ କାରଣରୁ ରଥଯାତ୍ରା ପାଇଁ ପୁରୀ ସହର ଚାରିପଟୁ ସିଲ୍‌ ହୋଇଥିଲା ବେଳେ, ରଥଯାତ୍ରା ପରେ ମଧ୍ୟ ସହର ବାହାର ଲୋକଙ୍କୁ ପୁରୀକୁ ବାରଣ କରାଯାଇଛି। ତେବେ ପୁରୀ ସହରକୁ ସମ୍ପୂର୍ଣ୍ଣ ବାରଣ ହୋଇନଥିବା ବେଳେ ସ୍ୱର୍ଗ ଦ୍ୱାରକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ବାହାର ଜିଲ୍ଲାର କୌଣସି ମୃତ ଲୋକଙ୍କୁ ପୁରୀ ସ୍ୱର୍ଗଦ୍ୱାରରେ ପୋଡ଼ିବାକୁ ସମ୍ପୂର୍ଣ୍ଣ ବାରଣ କରିଛି ପ୍ରଶାସନ। ସ୍ୱର୍ଗଦ୍ୱାରରେ ପୁରୀ ବାହାରର କେହିବି ଶବ ସତ୍କାର କରିପାରିବେ ନାହିଁ। କୋଭିଡ୍‌ କଟକଣା ଓ ସମସ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଅଧିକାଂଶ ଲୋକ ପ୍ରାୟତଃ ପୁରୀ ସ୍ୱର୍ଗଦ୍ୱାରରେ ଆତ୍ମୀୟ ସ୍ୱଜନଙ୍କ ଶବ ସତ୍କାର ତଥା ମହୋଦଧିରେ ଅସ୍ଥି ବିସର୍ଜନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି।

Comments are closed.