ଦୂର୍ଗାପୂଜା: ଆଜି ମଣ୍ଡପରେ ମହାଷ୍ଟମୀ ପୂଜା

ଭୁବନେଶ୍ବର: ଆଜି ପୀଠରେ ମାଆଙ୍କ ନବମୀ ହୋଇଥିବା ବେଳେ ପୂଜା ମଣ୍ଡପ ମାନଙ୍କରେ ମହାଷ୍ଟମୀ ପାଳନ କରାଯାଉଛି। ହେଲେ କରୋନା କଟକଣା ପାଇଁ ସବୁଠି ଖାଁ ଖାଁ ଲାଗୁଛି। ଭଳିକିଭଳି ଆଲୁଅରେ ଝଲସୁନି ରାସ୍ତାଘାଟ କି ଦେଖିବାକୁ ମିଳୁନି ନବଶ୍ଚୁମ୍ଭୀ ତୋରଣ। କଟକଣା ପଇଁ ମଣ୍ଡପ ନିକଟକୁ ଭକ୍ତଙ୍କୁ ମନା କରାଯାଇଛି। ସୀମିତ ଭକ୍ତ ଓ ପୁରୋହିତଙ୍କୁ ନେଇ ଅନୁଷ୍ଠିତ ହେଉଛି ପୂଜା। ଘରେ ରହି ମାଆଙ୍କୁ ଆରାଧନା କରୁଛନ୍ତି ଭକ୍ତ। ହେଲେ ଚଳଚଞ୍ଚଳ ହୋଇପଡ଼ିଛି ପୂଜା ବଜାର। କରୋନା କଟକଣାକୁ ମାନି ଚାଲିଛି ପୂଜା ବଜାର।
ସେପଟେ ଟୁଇନସିଟିରେ କଟକଣାରେ ଚାଲିଛି ପୂଜା। ଐତିହ୍ୟ ନଗରୀ କଟକ ସହରରେ ମା ଜଗତଜନନୀଙ୍କ ଆରାଧନା। ଆଜି ମା’ଙ୍କ ମହାଷ୍ଟମୀ ପର୍ବ। ଆଜିର ଦିନରେ ଶ୍ରଦ୍ଧାଳୁ ମାନେ ବ୍ରତ ରଖିଥାନ୍ତି । ମାଆଙ୍କ ଦର୍ଶନ ସହିତ ପ୍ରସାଦ ପାଇବା ପରେ ବ୍ରତ ସମାପ୍ତିର ବିଧି ରହିଛି। ତେବେ କୋଭିଡ କଟକଣା ପାଇଁ ଶ୍ରଦ୍ଧାଳୁ ଘରେ ରହି ଏହି ବ୍ରତ କରିଛନ୍ତି। ପୂଜା କମିଟି ପକ୍ଷରୁ ଘରେ ଘରେ ସିନ୍ଦୁର ସଂଖା, ପାଦୁକ ପହଂଚାଇବାର ବ୍ୟବସ୍ଥା କରାଯାଇଛି। ସକାଳୁ ମାଜଣା, ଧୂପ କରାଯିବା ସହିତ ଚଣ୍ଡୀପାଠରେ ଆବାହନ କରାଯାଉଛି। ତେବେ ଅଷ୍ଟମୀ ଯିବା ଓ ନବମୀ ପ୍ରବେଶରେ ଆଜି ସନ୍ଧି ପୂଜା କରାଯିବା ସହିତ ପନିକଖାରୁ ବଳି ଦିଆଯିବ।