୧୧,୨୦୦ କୋଟିର ଅତିରିକ୍ତ ବଜେଟକୁ ରାଜ୍ୟ ମନ୍ତ୍ରୀ ପରିଷଦର ମଞ୍ଜୁରୀ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଅନୁମୋଦନ କରିଛନ୍ତି। ଆଜି ସଂଧ୍ୟାରେ ବସିଥିବା ରାଜ୍ୟ ମନ୍ତ୍ରୀପରିଷଦର ବୈଠକରେ ଏହାକୁ ମଞ୍ଜୁର କରାଯାଇଛି।
ଏହି ଅତିରିକ୍ତ ବଜେଟକୁ ଆସନ୍ତା ୨୦ ତାରିଖରେ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯିବ। ଗତ ଫେବ୍ରୁଆରି ମାସରେ ରାଜ୍ୟ ସରକାର ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ଏହି ଅତିରିକ୍ତ ବଜେଟ ପରେ ବଜେଟର ଆକାର ୧ ଲକ୍ଷ ୬୦ ହଜାର କୋଟି ଟପିବାର ସମ୍ଭାବନା ରହିଛି।
ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପ୍ରାୟ ୮୧୨୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ। ଏହି ଅତିରିକ୍ତ ବଜେଟ ପରେ ରାଜ୍ୟ ବଜେଟର ଆକାର ୧ ଲକ୍ଷ ୪୭ ହଜାର କୋଟିକୁ ବୃଦ୍ଧି ପାଇଥିଲା।