Odisha Link
Bridging the Missing Links in Odisha

ସମ୍ ଅଲ୍ଟିମେଟ୍ ମେଡିକେୟାର ବିଶେଷଜ୍ଞଙ୍କ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାର ସର୍ଜନଙ୍କ ଦ୍ୱାରା ପୁଣି ସଫଳତାର ସହ ସମ୍ପାଦିତ ହୋଇଛି ଏକ ଜଟିଳ ଅସ୍ତ୍ରୋପଚାର। ଏକ ୧୨ ମାସର ଶିଶୁର ଶ୍ୱାସନଳୀରୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ବାହାର କରାଯାଇଛି ଆତ ମଞ୍ଜି। ଏହି ମଞ୍ଜି ଅଟକିଥିବା ଯୋଗୁଁ ଶିଶୁର ଜୀବନ ସଙ୍କଟାପନ୍ନ ହୋଇପଡିଥିଲା। ବରଗଡ ଜିଲ୍ଲା ଅତାବିରା ଅଞ୍ଚଳରେ ହେମଲତା ଯାଦବ ନାମକ ଏହି ୧୨ ମାସର ଶିଶୁ କନ୍ୟାଟି ଗତ ଅକ୍ଟୋବର ୩୦ ତାରିଖ ଦିନ ଘରେ ଖେଳୁଥିବା ସମୟରେ ଭୁଲବଶତଃ ଆତ ମଞ୍ଜିଟିକୁ ଗିଳି ଦେଇଥିଲା ଯାହାକି ତା’ର ଶ୍ୱାସନଳୀରେ ଅଟକି ଯାଇଥିଲା ।

ଏହା ଦ୍ୱାରା ଶିଶୁଟିର ଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରିଥିଲା। ବ୍ୟସ୍ତ ବିବ୍ରତ ହୋଇ ତା’ର ବାପା-ମା ଶିଶୁଟିକୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରୁ ତାକୁ ଅନ୍ୟ କୌଣସି ବଡ଼ ହସ୍ପିଟାଲକୁ ତୁରନ୍ତ ନେଇଯିବା ପାଇଁ କୁହାଯାଇଥିଲା। ଶିଶୁଟିକୁ ଦୀର୍ଘ ୧୦ ଦିନ ଧରି ବାପା-ମା ଅନେକ ହସ୍ପିଟାଲ୍ ଘୁରି ବୁଲିଥିଲେ ମଧ୍ୟ କେହି ତା’ର ସଫଳ ଚିକିତ୍ସା କରିପାରି ନଥିଲେ। ଶେଷରେ ସେମାନେ ଚିକିତ୍ସା ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ଆସିଥିଲେ।

ଗୁରୁତର ଅବସ୍ଥାରେ ଶିଶୁଟି ସମ୍ମମ୍‌ରେ ଭର୍ତି ହୋଇଥିଲା ଓ ପରୀକ୍ଷାରୁ ତା’ ଶରୀରରେ ରକ୍ତହୀନତା ଥିବା ତଥା ସେ ଯକ୍ଷ୍ମା ରୋଗରେ ପୀଡିତ ଥିବା ଜଣାପଡିଥିଲା। ସମସ୍ତ ପରୀକ୍ଷା ନୀରିକ୍ଷା ପରେ ସମ୍ମମ୍‌ର ଇଏନ୍‌ଟି ଏବଂ ସ୍କଲ ବେସ୍ ସର୍ଜରୀର ମୁଖ୍ୟ ଡ. ରାଧାମାଧବ ସାହୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ଶିଶୁର ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତି ନେଇଥିଲେ।

ତେବେ ଗୁରୁତର ଅବସ୍ଥାରେ ଥିବା ଶିଶୁଟିକୁ ନିଶ୍ଚେତକ ଦେଇ ଅପରେସନ୍ କରିବା ଖୁବ୍ ବଡ୍ ଆହ୍ୱାନ ଥିଲା। ତେବେ ଡ. ସାହୁ ଏବଂ ସମ୍ମମ୍‌ର ସିନିୟର ଆନେସ୍‌ଥେସିଆ ବିଭାଗର କନ୍‌ସଲ୍‌ଟାଂଟ ଡ. ଦୀପଙ୍କର ପଢ଼ିହାରୀ ଏବଂ ନିଶ୍ଚେତକ ଟିମ୍ ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ଏହି ଅପରେସନ୍‌କୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ। ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ଅପ୍ଟିକାଲ୍ ଫୋରସେପ୍ ବ୍ୟବହାର କରାଯାଇ ଶିଶୁର ଶ୍ୱାସନଳୀରୁ ସଫଳତାର ସହ ଏକ ବଡ ଆତ ମଞ୍ଜି ବାହାର କରାଯାଇଥିଲା।

ଏହି ବୟସର ଶିଶୁଙ୍କର ଅମ୍ଳଜାନ ସ୍ତର ଖୁବ୍ ଶୀଘ୍ର କମିଯାଉଥିବାରୁ ସେମାନଙ୍କୁ ଆନେସ୍‌ଥେସିଆ ପ୍ରୟୋଗ କରିବା ସମସ୍ୟା ଜଡିତ ବୋଲି ଡ. ସାହୁ କହିଥିଲେ। ନିକଟରେ ଡ. ସାହୁ ଏହିଭଳି ଅନେକ ଜଟିଳ ପ୍ରକ୍ରିୟାରେ ଅସ୍ତ୍ରୋପଚାର କରି ଛୋଟ ଛୋଟ ଶିଶୁଙ୍କର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି। ଏଭଳି ପ୍ରକ୍ରିୟାରେ ଅସ୍ତ୍ରୋପଚାର କରିବାରେ ସମ୍ ଅଲ୍ଟିମେଟ୍ ମେଡିକେୟାର ଖୁବ୍ ସଫଳ ହୋଇପାରିଛି।