୨୫ ବର୍ଷ ପରେ ଜନ୍ମମାଟିକୁ ଫେରୁଛନ୍ତି ବିରଜୁ

ସୁନ୍ଦରଗଡ: ୨୫ ବର୍ଷ ପରେ ଜନ୍ମମାଟିକୁ ଫେରୁଛନ୍ତି ବିରଜୁ। ୨୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବାପରେ ନିର୍ଦ୍ଦୋଷରେ ଖଲାସ ହୋଇ ଆଜି ନିଜ ଗାଁ କୁ ଫେରୁଛନ୍ତି ବିରଜୁ କୁଲୁ। ଗତକାଲି ରାତିରେ ସେ କୁତ୍ରା ଠାରୁ ୧୩୨ କିଲୋମିଟର ଦୂର ଝାରଖଣ୍ଡ ରାଜ୍ୟ ଗୁମଲାରେ ପହଞ୍ଚି ରାତି କାଟିବା ପରେ ଆଜି ସକାଳୁ କୁତ୍ରା ଅଭିମୁଖେ ଵାହାରିଛନ୍ତି।
ଖବର ଲେଖାଯିବା ଵେଳକୁ ସେ ସୁନ୍ଦରଗଡ଼ ସୀମାରେ ପ୍ରବେଶ କରିଥିବା ସୂଚନା ମିଳିଛି। ପାକିସ୍ତାନ ସରକାର ବିରଜୁଙ୍କୁ ଭାରତକୁ ହସ୍ତାନ୍ତର କରିବା ପରେ ସେ ପଞ୍ଜାଵ ଅମୃତସରର ଏକ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଏ ସମ୍ପର୍କରେ ସୁନ୍ଦରଗଡ଼ ପ୍ରଶାସନକୁ ଅବଗତ କରାଯିବା ପରେ ପ୍ରଶାସନ ବିରଜୁଙ୍କୁ ଅମୃତସରରୁ ଆଣିବାକୁ ସମସ୍ତ ବ୍ୟବସ୍ଥା କରିଥିଲା।
ବିରଜୁଙ୍କୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ଵାରା ନିଯୁକ୍ତ କୁତ୍ରା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମଦନ ସିଂ ଅମୃତସର ଯାଇଥିଲେ। ବଲେରୋ ଯୋଗେ ୨ ଜଣ ଡ୍ରାଇଭରଙ୍କ ସାହାଯ୍ୟରେ ୧୭୫୦ କିଲୋମିଟର ଦୂର ଅମୃତସରରୁ ଵିରଜୁଙ୍କୁ ନେଇ ଫେରୁଛନ୍ତି।
ସୂଚନାଯୋଗ୍ୟ, କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗର ପଡାର ମାରକୁସ କୁଲୁ ଓରଫ୍ ବିରଜୁ ମାନସିକ ଅନଗ୍ରସ ଥିଲେ। ପ୍ରାୟ ୨୫ ବର୍ଷ ତଳେ ସେ ଘରଛାଡି ଝାଡଖଣ୍ଡକୁ ଚାଲି ଯାଇଥିଲେ। ସେଠାରୁ ପୁଣି କୁଆଡ଼େ ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ। ପରିବାରବର୍ଗ ତାଙ୍କୁ ଢେର ଖୋଜାଖୋଜି କରି ନିରାଶ ହୋଇଥିଲେ। କିଛି ଦିନ ତଳେ ତାଙ୍କ ପରିଚୟ ଓ ଠିକଣା ଯାଞ୍ଚ ପାଇଁ ପୁଲିସ୍ ବିରଜୁଙ୍କ ଘରେ ପହଞ୍ଚି ଥିଲା। ଏହାପରେ ନିରୁଦ୍ଦିଷ୍ଟ ବିରଜୁ ପାକିସ୍ତାନ ଜେଲରେ ସଜା କାଟୁଥିବା ଜଣା ପଡିଥିଲା। ସେ ଭୁଲବଶତଃ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିବାରୁ ତାଙ୍କୁ ପାକିସ୍ତାନୀ ସୈନ୍ୟମାନେ ଭାରତର ଗୁପ୍ତଚର ଭାବି ଧରି ନେଇ ଲାହୋର ଜେଲରେ ୨୦ ବର୍ଷ ରଖିଥିଲେ। ସେଠାରେ ସେ ୨୦ ବର୍ଷ ବନ୍ଦୀ ଭାବେ ଜୀବନ କାଟିବା ପରେ ଗତ ୨୬ ତାରିଖରେ ତାଙ୍କୁ ମୁକ୍ତ କରା ଯାଇଥିଲା। ପାକିସ୍ତାନୀ ସୈନ୍ୟ ତାଙ୍କୁ ୱାଘା ବୋର୍ଡରରେ ଭାରତକୁ ହସ୍ତାନ୍ତର କରିଥିଲେ।