ଆରମ୍ଭ ହେଲା ଶୀତ ଅଧିବେଶନ, ଶୋକ ପ୍ରସ୍ତାବ ଆଗତ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। କରୋନା କଟକଣା ଭିତରେ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ଆରମ୍ଭରୁ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି। ପୂର୍ବତନ ବାଚସ୍ପତି ଶରତ କର, ଏଥିସହ ୨ ପୂର୍ବତନ ବିଧାୟକ କାର୍ତ୍ତିକେଶ୍ବର ପାତ୍ର ଓ ଗୁରୁପଦ ନନ୍ଦଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯାଇଛି। ଏଥିସହ କରୋନା ଯୋଦ୍ଧାଙ୍କ ପାଇଁ ମଧ୍ୟ ଶୋକ ପ୍ରସ୍ତାବ ଆଗତ ହୋଇଛି।
ଚଳିତ ଶୀତ ଅଧିବେଶନରେ କୋଭିଡ ପାଇଁ ପ୍ରଶ୍ନକାଳ ରହିବ ନାହିଁ ବୋଲି ଆଗରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଏହାଛଡ଼ା ପ୍ରତି ଦିନ ଅଧିବେଶନ ସାଢେ ୪ ଘଣ୍ଟାରେ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ଆଜି ଅତିରିକ୍ତ ବଜେଟ ମଧ୍ୟ ଉପସ୍ଥାପିତ ହେବ।
ସୂଚନାଯୋଗ୍ୟଯେ, କରୋନା ଯୋଗୁଁ ବଜେଟ ଅଧିବେଶନ କାଂଟଛାଂଟ ହୋଇଯାଇଥିଲା। ଏପରିକି ଅନେକ ବିଭାଗର ଖର୍ଚ୍ଚଦାବି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ବି ହୋଇପାରିନଥିଲା। ତେଣୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିବ।