Odisha Link
Bridging the Missing Links in Odisha

ରାଜ୍ୟର ପ୍ରଥମ ମହିଳା ସୁଶିଳା ଦେବୀଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ବର: ପରଲୋକରେ ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀ। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସୁଶୀଳା ଦେବୀଙ୍କ ପରଲୋକ ହୋଇଛି। ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି।

ସୁଶୀଳା ଦେବୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଧର୍ମପ୍ରାଣ ଓ ପରୋପକାରୀ ମହିଳା ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟପାଳ ଓ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟପାଳଙ୍କ ପତ୍ନୀଙ୍କ ବିୟାଗରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଜୀଙ୍କ ଧର୍ମପତ୍ନୀ ସୁଶିଳା ଦେବୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗକୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ। ଅମର ଆତ୍ମାର ସଦଗତି କାମନା କରୁଛି।

ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ଦେହାନ୍ତରେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୋକବ୍ୟକ୍ତ କରିଛନ୍ତି। ପ୍ରଭୁ ଜଗନ୍ନାଥ ତାଙ୍କର ଅମର ଆତ୍ମାର ସଦଗତି କରିବା ସହ ଏହି ଦୁଃଖଦ ସମୟରେ ତାଙ୍କ ପରିବାରକୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି ରଣେନ୍ଦ୍ର କାମନା କରିଛନ୍ତି।

 

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ସୁଶିଳା ଦେବୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଆଜି ଘରୋଇ ହସ୍ପିଟାଲରୁ ପ୍ରଥମେ ରାଜଭବନକୁ ତାଙ୍କ ମୃତଦେହ ଅଣାଯିବ। ଏହାପରେ ସେଠାରୁ ପୁରୀ ନିଆଯାଇ ତାଙ୍କୁ ଶେଷକୃତ କରାଯିବ ବୋଲି ସୂଚନା ମିଳିଛି। କୋଭିଡ କଟକଣା ମଧ୍ୟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ରାଜ୍ୟର ପ୍ରଥମ ମହିଳାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି।

Comments are closed.