Odisha Link
Bridging the Missing Links in Odisha

ମାଲକାନଗିରି ଏସପି ଓ ଆଇଆଇସିଙ୍କୁ ତୁରନ୍ତ ବଦଳି କରାଯାଉ: ବଳଭଦ୍ର ମାଝୀ

ଭୁବନେଶ୍ୱର: ୨୦୧୯ ଡିସେମ୍ବର ୨୮ ତାରିଖରେ ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ବାରମ୍ବାର ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲେ ସୁଦ୍ଧା ପୋଲିସ ଏତଲା ଗ୍ରହଣ କରିନିଥିଲା। ଏହି ଘଟଣାରେ ଜିଲ୍ଲପାଳଙ୍କ ସଂପୃକ୍ତି ଥିବାରୁ ପୋଲିସ ଏକ ବର୍ଷ ଧରି ଏତଲା ଗ୍ରହଣ ନକରି ଓଲଟା ପୀଡିତ ପରିବାରକୁ ଧମକ ଦେଉଥିଲା। ଖୋଦ୍ ମାଲକାନଗିରି ଏସପି ହତ୍ୟାକାଣ୍ଡକୁ ଚପାଇ ଦେବା ପାଇଁ ଅପଚେଷ୍ଟା କରିଥିଲେ।

ଏହି ଘଟଣାରେ ପୋଲିସର ଦାୟୀତ୍ୱହୀନତା କାର୍ଯ୍ୟ ପାଇଁ ତୁରନ୍ତ ମାଲକାନଗିରି ଜିଲ୍ଲା ଏସପି ଓ ଆଇଆଇସିଙ୍କୁ ବଦଳି କରିବା ଦାବି ନେଇ ବିଜେପି ଉପସଭାପତି ବଳଭଦ୍ରମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ କଟକ ଠାରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ଏହି ହତ୍ୟାକାଣ୍ଡରେ ମାଲକାନଗିରି ଏସଡିଜେଏମ କୋର୍ଟ ଜିଲ୍ଲାପାଳଙ୍କ ସମେତ ୪ ଜଣ ସରକାରୀ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ପୋଲିସ ପରିବାର ଲୋକଙ୍କ ଏତଲା ରଖିଛି। ଏହି ଘଟଣାରେ ଜିଲ୍ଲାପାଳଙ୍କ ସଂପୃକ୍ତି ଥିବା ଯୋଗୁଁ ଜିଲ୍ଲା ଏସପି ଏହାକୁ ରଫାଦଫା କରିବା ପାଇଁ ପରିବାର ଲୋକଙ୍କ ଉପରେ ଚାପ ପକାଇ ପାରନ୍ତି। ପୂର୍ବରୁ ଜିଲ୍ଲା ଏସପି ଏବଂ ଆଇଆଇସି ଏତଲା ଗ୍ରହଣ କରିନଥିବାବେଳେ ଏବେ ଏହି ଘଟଣାକୁ ଭିନ୍ନ ମୋଡ ଦେଇ କେସ୍ କୁ ବନ୍ଦ କରିବା ପାଇଁ ଯୋଜନା କରୁଛନ୍ତି। ଏଣୁ ତୁରନ୍ତ ଜିଲ୍ଲା ଏସପି ଓ ଆଇଆଇସିଙ୍କୁ ବଦଳି କରାଗଲେ ଏହାର ଏକ ନିରପେକ୍ଷ ତଦନ୍ତ ହୋଇପାରିବ।

ଅନ୍ୟପଟେ ଏହି ଘଟଣାରେ ସଂପୃକ୍ତି ଥିବା ୪ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜିଲ୍ଲା ଏସପି ଓ ଆଇଆଇସିଙ୍କୁ ତଦନ୍ତ ପରିସରଭୃକ୍ତ କରି ଏତଲା ରଖିବାରେ ବିଳମ୍ବ କରିଥିବାରୁ ଉଭୟଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପ୍ରତିନିଧୀ ଦଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି।

ଏହି ପ୍ରତିନିଧୀ ଦଳରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ କଟକ ଜିଲ୍ଲା ସଭାପତି ଲଲାତେନ୍ଦୁ ବଡୁ ପ୍ରମୁଖ ଉପସ୍ଥିତି ଥିଲେ।

Comments are closed.