Odisha Link
Bridging the Missing Links in Odisha

୨୬/୧୧ ଆକ୍ରମଣକୁ ପୁରିଛି ୧୨ ବର୍ଷ, ମନରୁ ଲିଭିନି ସେ ଦିନର ଘଟଣା

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାକୁ ଆଜି ପୁରିଛି ୧୨ ବର୍ଷ। ହେଲେ ମନରୁ ଲିଭିନି ସେ ଦିନର ଘଟଣା। ଲୋମ ଟାଙ୍କୁରୀ ଉଠେ ସେ ନରସଂହାର ଦିନ ମନେ ପକାଇଲେ। ଆଜି ସାରା ଦେଶ ୨୬/୧୧ ଆକ୍ରମଣର ୧୨ତମ ବାର୍ଷିକୀରେ ଶହୀଦ ବୀରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମୁମ୍ବାଇ ମହାନଗର ନିଗମ ପୋଲିସ ସହିଦ ସୁରକ୍ଷା କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଛି। କରୋନା ମହାମାରୀ କାରଣରୁ କେବଳ ସୀମିତ ସଂଖ୍ୟକ ଲୋକ ଯୋଗଦେବେ।

୨୬ ନଭେମ୍ବର ୨୦୦୮ରେ ଲସ୍କର-ଇ-ତାଇବାର ଆତଙ୍କବାଦୀମାନେ ମୁମ୍ବାଇର ତାଜ୍‌ ହୋଟେଲ ସମେତ ୬ଟି ଜାଗାରେ ଆକ୍ରମଣ କରିଥିଲେ। ଏଥିରେ ପାଖାପାଖି ୬୦ ଘଣ୍ଟା ଧରି ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିଲା ଆକ୍ରମଣ। ପ୍ରାୟ ୧୬୦ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସବୁଠାରୁ ଅଧିକ ଲୋକ ଛତ୍ରପତି ଶିବାଜୀ ଟର୍ମିନସ୍‌ରେ ଏବଂ ତାଜ୍‌ ହୋଟେଲରେ ପ୍ରାଣ ହରାଇଥିଲେ।

ମୁମ୍ବାଇରେ ଏହି ଆକ୍ରମଣ ଘଟାଇଥିବା ଆତଙ୍କୀ ସଙ୍ଗଠନ ଥିଲା ଲଶ୍‌କର-ଏ-ତୈୟବା। ୧୦ଜଣ ଆତଙ୍କବାଦୀ ଅଟୋମେଟିକ୍‌ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଗ୍ରେନେଡ୍‌ ଦ୍ୱାରା ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଆତଙ୍କୀ ଅଜମଲ କସାବଙ୍କୁ ଜୀବିତ ଅବସ୍ଥାରେ କାବୁ କରାଯାଇଥିଲା। ଅଭିଯୁକ୍ତ ଭାବେ ପ୍ରମାଣ ହେବା ପରେ ୨୧ ନଭେମ୍ବର ୨୦୧୨ରେ କସାବଙ୍କୁ ଫାଶୀ ଦିଆ ଯାଇଥିଲା କିନ୍ତୁ ଏବେ ମଧ୍ୟ ଏହି ଷଡ଼ଯନ୍ତ୍ରର ମାଷ୍ଟର ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌ ପାକିସ୍ତାନ ଆଶ୍ରୟରେ ନିର୍ଭୟରେ ବୁଲୁଛି।

Comments are closed.