Odisha Link
Bridging the Missing Links in Odisha

ଲ୍ୟାଣ୍ଡଫଲ କଲା ‘ନିଭାର’

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିଭାର୍‌ ଗତକାଲି ବିଳିମ୍ବିତ ରାତିରେ ଲ୍ୟାଣ୍ଡଫଲ କରିଛି। ପ୍ରାୟ ୪ ଘଣ୍ଟା ଧରି ‘ନିଭାର’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲିଥିଲା। ଲ୍ୟାଣ୍ଡଫଲ କରିବା ବେଳେ ଏହା ଅତିଭୀଷଣ ରୂପ ଧାରଣ କରିଥିଲା।

ରାତି ୧୧.୧୫ରୁ ବାତ୍ୟା ନିଭାର ପ୍ରକୋପ ଆରମ୍ଭ ହୋଇ ରାତି ୨.୩୦ ଯାଏ ଚାଲିଥିଲା। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୧୧୦ରୁ ୧୩୦ କିମି ଓ ବେଳେବେଳେ ଏହା ୧୪୫ କିମି ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସ୍ଥଳଭାଗ ଛୁଇଁବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇଛି। ଏକାଧିକ ସ୍ଥାନରେ ଗଛ ଉପୁଡ଼ି ଯାଇଛି। ବିଳମ୍ବିତ ରାତି ହୋଇଯାଇଥିବାରୁ କ୍ଷୟକ୍ଷତି ଆକଳନ କରାଯାଇ ପାରିନାହିଁ।

ବିଭାଗର ସୂଚନା ଅନୁଯାୟୀ, ପୁଡୁଚେରୀର ଠାରୁ ଉତ୍ତର ଦିଗରେ ୩୦ କିମି ଓ ଚେନ୍ନାଇ ଠାରୁ ୧୧୫ କିମି ଦୂରରେ ବାତ୍ୟା ନିଭାର ଲ୍ୟାଣ୍ଡଫଲ କରିଛି। ମାରକ୍କାନାମାର ଅତି ନିକଟରେ ଏହା ଲ୍ୟାଣ୍ଡଫଲ କରି ପ୍ରାୟ ସାଢ଼େ ୩ ଘଣ୍ଟାରୁ ୪ ଘଣ୍ଟା ଧରି ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳ ଓ କୁଡ୍ଡାଲୋର୍‌ରେ ପବନର ଘଣ୍ଟାପ୍ରତି ବେଗ ୧୨୦ରୁ ୧୩୦ କିମି ରହିଥିଲା।

ବାତ୍ୟା ନିଭାର୍‌ ଲ୍ୟାଣ୍ଡଫଲ କରିବା ପରେ କ୍ରମଶଃ ଅତି ଭୀଷଣ ବାତ୍ୟାରୁ କେବଳ ଭୀଷଣ ବାତ୍ୟାର ରୂପ ନେଇଛି। ଏବେ ଏହା ଆନ୍ଧ୍ର ପ୍ରଦେଶ ଦକ୍ଷିଣ ଉପକୂଳ ଓ ରୟାଲସୀମା ନିକଟରେ ରହିଛି। ଏହି କାରଣରୁ ଏଠାରେ ଆଜି ସନ୍ଧ୍ୟା ଯାଏ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୩ ଘଣ୍ଟା ମଧ୍ୟରେ ନିଭାର୍ ଆହୁରି ଦୁର୍ବଳ ହୋଇ କେବଳ ବାତ୍ୟାର ରୂପ ନେବ। ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ତଳିଆ ଅଞ୍ଚଳରେ ରହୁଥିବା ୧.୪୫ ଲକ୍ଷରୁ ଅଧିକ ଲୋକଙ୍କୁ ୧୫୧୬ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି।

Comments are closed.