ଆଜି ହେବ କାଳିଆର ଶେଷକୃତ୍ୟ

କଟକ: ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ କାଳିଆ ଓ ବଳିଆ ମଧ୍ୟରୁ ଗତକାଲି କାଳିଆର ମୃତ୍ୟୁ ହୋଇଛି। ଯୋଡ଼ାମୁଣ୍ଡ ଅଲଗା କରାଯିବାର ୩ ବର୍ଷ ପରେ କାଳିଆର ମୃତ୍ୟୁ ହୋଇଛି। ଆଜି କାଳିଆର ଶେଷକୃତ୍ୟ ହେବ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ମିଲୁପଡ଼ାରେ କାଳିଆର ଶେଷକୃତ୍ୟ କରାଯିବ।
କାଳିଆର ଶେଷକୃତ୍ୟ ନିମନ୍ତେ ଗତକାଲି ତା ମୃତଦେହକୁ ବାପାମା’ ନେଇ ଆମ୍ବୁଲାନ୍ସ ଯୋଗେ ଗାଁ ଅଭିମୁଖେ ଯାଇଥିବା ବେଳେ ଜଗା କଟକ ବଡମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି।
କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୯ଟା ୧୦ ମିନଟରେ କାଳିଆର ମୃତ୍ୟୁ ହୋଇଥିବା ନେଇ SCBର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣାଙ୍କ ସୂଚନା ଦେଇଥିଲେ। ଗତ ସପ୍ତାହେ ଧରି କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଶେଷରେ ସେ ସେପଟିସେମିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲା।
ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି କରାଯାଇଥିଲା। ଅପରେଶନ ପାଇଁ ଗଠନ କରାଯାଇଥିଲା ଅଭିଜ୍ଞ ଡାକ୍ତରୀ ଟିମ୍। ଏପଟେ ଅପରେସନ କରାଯାଇଥିଲା। ନୂଆଦିଲ୍ଲୀସ୍ଥିତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସିତ ହେଉଥିବା ଜଗା-କାଳିଆଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧ କୋଟି ଟଙ୍କା ମଞ୍ଜୁର କରିଥିଲେ।
ଏମ୍ସର ପୂର୍ବତନ ନିର୍ଦ୍ଦେଶକ ତଥା ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ଡ.ଅଶୋକ ମହାପାତ୍ର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର କରି କରିଥିଲେ। ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସଫଳତାର ସହ କରାଯାଇଥିବା ବିରଳ ଯୋଡ଼ାମୁଣ୍ଡ ଅସ୍ତ୍ରୋପଚାର ଲିମ୍କା ବୁକ୍ ଅଫ୍ ରେକର୍ଡସରେ ୨୦୨୦ସଂସ୍କରଣରେ ସ୍ଥାନ ପାଇଥିଲା। ୨୦୧୭ ମସିହାରେ ନୂଆଦିଲ୍ଲୀ ଏମ୍ସଠାରେ ଏହି ଅସ୍ତ୍ରୋପଚାର ସଫଳତାର ସହ କରାଯାଇଥିଲା
ଅସ୍ତ୍ରୋପଚାର ପରେ ପ୍ରାୟ ୨ବର୍ଷ ଧରି ଏମ୍ସରେ ଚିକିତ୍ସାଧୀନ ରହିବା ପରେ ଗତବର୍ଷ ଉଭୟ ଓଡ଼ିଶା ଫେରିଥିଲେ। କଟକ ବଡ଼ ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍। ଏଠାରେ ଜଗା ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥିଲା। ହେଲେ କାଳିଆର ସ୍ୱାସ୍ଥ୍ୟା ଅବସ୍ଥାରେ ଉନ୍ନତି ଘଟୁନଥିଲା। ତାକୁ ମଝିରେ ମଝିରେ ଆଇସିୟୁରେ ରଖାଯାଉଥିଲା। ତେବେ ଗତ ଦୁଇ ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁଣି ଆଇସିୟୁରେ ଭର୍ତ୍ତି କରାଯାଇଥିଲା।