Odisha Link
Bridging the Missing Links in Odisha

ଚନ୍ଦ୍ରପୃଷ୍ଠରୁ ୨ କିଲୋ ନମୁନା ଆଣିବ ଚୀନ୍

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଅନାବିଷ୍କୃତ ମୃତ୍ତିକା ଓ ଶିଳା ଆଣିବ ଚୀନ୍। ନମୁନା ସଂଗ୍ରହ କରିବା ଉଦ୍ଦେଶ୍ୟରେ ଚୀନ୍‌ ମଙ୍ଗଳବାର ଦିନ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ତା’ର ମହାକାଶଯାନ ଅବତରଣ କରାଇଥିବା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।

ଚୀନ୍‌ର ‘ଚାଙ୍ଗ୍‌ଇ-୫ ଲୁନାର ପ୍ରୋବ୍‌’ ଚନ୍ଦ୍ରପୃଷ୍ଠରେ ଉକ୍ତ ମହାକାଶଯାନ ଅବତରଣ କରୁଥିବା ସମୟର ଫଟୋ ସେୟାର୍‌ କରିଥିଲା। ନଭେମ୍ବର ୨୪ ତାରିଖ ଦିନ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଚୀନ୍‌ର ପୌରାଣିକ ଚନ୍ଦ୍ରଦେବୀଙ୍କ ନାମରେ ନାମିତ ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରର ଉତ୍ପତ୍ତି ସମ୍ବନ୍ଧରେ ଅଧିକ ଜାଣିବାରେ ବୈଜ୍ଞାନିକମାନଙ୍କୁ ସାହାଯ୍ୟ କରିବା ଲାଗି ଚନ୍ଦ୍ରପୃଷ୍ଠରୁ କିଛି ଉପାଦାନ ସଂଗ୍ରହ କରିବା

ପୂର୍ବରୁ ଚନ୍ଦ୍ରପୃଷ୍ଠର ସେ ଅଞ୍ଚଳକୁ ଗସ୍ତ ହୋଇ ନ ଥିବା ‘ଓସେନସ୍‌ ପ୍ରୋସିଲାରୁମ୍‌’ ବା ‘ଝଡ଼ର ସମୁଦ୍ର’ ଭାବେ ନାମିତ ଗଳିତ ଲାଭାର ଏକ ସମତଳ ଅଞ୍ଚଳରୁ ଏହି ଅଭିଯାନ ଦୁଇ କିଲୋ ଓଜନର ମୃତ୍ତିକା ଓ ଶିଳା ସଂଗ୍ରହ କରିବ। ଅବତରଣ ପରେ ଲ୍ୟାଣ୍ଡର୍‌ ଯାନଟି ତା’ର ରୋବୋଟିକ୍‌ ହାତରେ ଚନ୍ଦ୍ରପୃଷ୍ଠ ଖୋଳି ମୃତ୍ତିକା ଓ ଶିଳା ନମୁନା ସବୁକୁ ମହାକାଶଯାନକୁ ସ୍ଥାନାନ୍ତର କରିବ।

ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରିବ ବୋଲି ରାଷ୍ଟ୍ରାୟତ ସମ୍ବାଦ ପ୍ରସାରଣକାରୀ ସଂସ୍ଥାନ ‘ସିସିଟିଭି’ କହିଛି। ଏହାପରେ ଉକ୍ତ ମହାକାଶଯାନ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରି ଚୀନ୍‌ର ଅଭ୍ୟନ୍ତର ମଙ୍ଗୋଲିଆ ଅଞ୍ଚଳରେ ଅବତରଣ କରିବ। ଯୋଜନା ଅନୁଯାୟୀ ଏହି ଅଭିଯାନ ଯଦି ସଫଳ ହୁଏ ତେବେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ରୁଷ୍‌ ପରେ ଚନ୍ଦ୍ରରୁ ମୃତ୍ତିକା ଓ ଶିଳା ସଂଗ୍ରହ କରିବାରେ ଚୀନ୍‌ ହେବ ବିଶ୍ୱର ତୃତୀୟ ଦେଶ।

Comments are closed.