Odisha Link
Bridging the Missing Links in Odisha

ପୋଲିସ ବିଭାଗର ସବୁ ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର- ୧୧୨

ଭୁବନେଶ୍ୱର: ଏଣିକି ପୋଲିସ ବିଭାଗର ପ୍ରତ୍ୟେକ ଜରୁରୀକାଳୀନ ସେବା ପାଇଁ ଆଉ ଅଲଗା ଅଲଗା ନମ୍ବର ଡାଏଲ କରିବାକୁ ପଡ଼ିବ ନାହିଁ। ଗୋଟିଏ ନମ୍ବର ଡାଏଲ କଲେ ଆପଣ ସବୁ ସହାୟତା ପାଇପାରିବେ। ପୋଲିସ ବିଭାଗର ପ୍ରତ୍ୟେକ ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର ୧୧୨କୁ କାର୍ଯ୍ୟକାରୀ କରାଯାଇଛି। ଏନେଇ ଏକ ପ୍ରେସ୍ ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି।

ଏଣିକି ପୁଲିସ, ଆମ୍ବୁଲାନ୍ସ ଓ ଦମକଳ ପାଇଁ ଭିନ୍ନ ଭିନ୍ନ ନମ୍ବର ଡାଏଲ କରିବାକୁ ପଡ଼ିବ ନାହିଁ। ସବୁ ଜରୁରୀ ସେବା ପାଇବା ପାଇଁ ୧୧୨ ଡାଏଲ କରି ହେବ। ପୂର୍ବରୁ ଜରୁରୀ ସେବା ପାଇଁ ଥିବା ନମ୍ବର ୧୦୦, ୧୦୧, ୧୦୨, ୧୦୪ ଓ ୧୦୮କୁ ଏକୀଭୂତ କରି ୧୧୨ କରାଯାଇଛି।

୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ବରିତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗର ୧୦୯୮ଟି ବିଭିନ୍ନ ପଦବୀ ସୃଷ୍ଟିକୁ ମଧ୍ୟ ଅନୁମୋଦନ କରିଛନ୍ତି। ୧୧୨ ସେବା ପାଇଁ ୪-ଡି.ଏସ୍‌.ପି, ୧୫୧-ସବ୍‌ଇନ୍ସପେକ୍ଟର, ୨୦୩- ସହକାରୀ ସବ୍ ଇନ୍‌ସପେକ୍ଟର ଏବଂ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ। ଏତଦ୍‌ବ୍ୟତୀତ outsourcing ଜରିଆରେ ୧୯୮ଜଣ Call Taker Executive ଏବଂ ୨୩୬ଟି ଗାଡି ମଧ୍ୟ ନିୟୋଜିତ ହେବେ ।

ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଜରୁରୀ ସହାୟତା ଗୋଟିଏ ନମ୍ବର ୧୧୨ ରେ ଉପଲବ୍‌ଧ ହେବା ଦ୍ବାରା ଜନସାଧାରଣଙ୍କୁ ଅଧିକ ଦକ୍ଷତାର ସହ ଉତ୍ତମ ସେବା ଯୋଗାଇ ଦେବାରେ ପୋଲିସ ସଫଳ ହେବ ଏବଂ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଅଧିକ ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

Comments are closed.