ଆଜି ପ୍ରଥମାଷ୍ଟମୀ, ପଢ଼ୁଆଁ ହେବେ ବଡ଼ ଠାକୁର

ପୁରୀ: ଆଜି ପ୍ରଥମାଷ୍ଟମୀ। ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପ୍ରତିଟି ଓଡ଼ିଆ ଘରେ ପାଳିତ ହୁଏ ପ୍ରଥମାଷ୍ଟମୀ। ଏହି ଦିନରେ ଜ୍ୟେଷ୍ଠ ବା ପ୍ରଥମ ସନ୍ତାନଙ୍କୁ ନୂଆବସ୍ତ୍ର ପରିଧାନ କରିବା ସହ ବନ୍ଦାପନା କରାଯାଏ। ଏହାପରେ ବିଭିନ୍ନ ରକମର ମିଠା ପିଠା ଆସରରେ ବି ଜମେ। ହଳଦୀ ପତ୍ରରେ ଏଣ୍ଡୁରି ପିଠା ହେଉଛି ପ୍ରଥମାଷ୍ଟମୀର ବିଶେଷତ୍ବ।
ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିରରେ ବି ପାଳନ କରାଯାଏ। ଆଜି ପ୍ରଥମାଷ୍ଟମୀରେ ମହାପ୍ରଭୁଙ୍କ ମହାସ୍ନାନ ପରେ ନୂଆ ଲୁଗା ଲାଗି ହେବ। ନୀତିକାନ୍ତି ପରେ ଫୁଲୁପୁରିଆ ଖଦି ଓ ଛେଦା ପ୍ରସାଦ ଲାଗି ହୋଇ ବଡ଼ ଠାକୁରଙ୍କୁ ବନ୍ଦାପନା କରାଯିବ।
ଗତବର୍ଷ ଭଳି ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାମୁଁ ଘର କୁହାଯାଉଥିବା ନିଆଳିର ମାଧବାନନ୍ଦ ମନ୍ଦିରରୁ ପୁରୀରେ ପହଞ୍ଚି ସାରିଛି ପୋଡ଼ୁଆଁ ଭାର। ପ୍ରଥମାଷ୍ଟମୀ ଅବସରରେ ଭାରରେ ମହାପ୍ରଭୁଙ୍କ ପାଇଁ ଖଣ୍ତୁଆ ପାଟ, ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼ ଓ ପାଚିଲା କଦଳୀ ପ୍ରଭୃତି ଅନେକ ଦିବ୍ୟ ପଦାର୍ଥ ରହିଛି।
ପ୍ରଥମାଷ୍ଟମୀର ଅନ୍ୟ ନାମ ‘ସୌଭାଗିନୀ ଅଷ୍ଟମୀ’। ପୂର୍ବେ ଏହିଦିନ ସୌଭାଗିନୀ ଦେବୀଙ୍କର ପୂଜା ପ୍ରଚଳିତ ଥିଲା। ଓଡ଼ିଆଘରର ଏଇ ପର୍ବର ଅନ୍ୟ ଏକ ବୈଶିଷ୍ଟ୍ୟ ମଧ୍ୟ ରହିଛି। ଓଡ଼ିଶାରେ ଏହିଦିନ ଭୁବନେଶ୍ବର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଘର ଯାତ୍ରା ହୋଇଥାଏ।