ସବୁ ସମୟରେ ଲୋକଙ୍କୁ ସହଯୋଗର ହାତ ବଢ଼ାଇଛି ସୁଯୋଗ ଫାଉଣ୍ଡେସନ

ଭୁବନେଶ୍ବର: କୋଭିଡ ଭୟ ସାଙ୍ଗକୁ ଥଣ୍ଡାର ପ୍ରକୋପରେ ବିଚରା ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଏଭଳି କିଛି ସମାଜର ମୁଖ୍ୟ ସ୍ରୋତଠାରୁ ଢେର ଦୂରରେ ଥିବା ଲୋକଙ୍କ ନିକଟରେ ପହଞ୍ଚି ତାଙ୍କୁ ସହଯୋଗର ହାତ ବଢ଼ାଇଛି ସୁଯୋଗ ଫାଉଣ୍ଡେସନ। ଖ୍ରୀଷ୍ଟମାସ ଅବସରରେ ସ୍ୱତନ୍ତ୍ର ଭାବେ ଏଭଳି ଲୋକଙ୍କ ସହ ଦିନଟିକୁ ପାଳିଛି ସୁଯୋଗ ଫାଉଣ୍ଡେସନ। ସିକ୍ରେଟ ସାଂଟା, ବ୍ଲାଙ୍କେଟ, ମାସ୍କ, ସାନିଟାଇଜର, ସାବୁନ ବଣ୍ଟାଯାଇଛି।
ରାଜଧାନୀର ଚନ୍ଦକା ଗୋଡିବାରି ଗ୍ରାମର ବୟସ୍କ ଆଦିବାସୀ ଲୋକଙ୍କ ମଧ୍ୟରେ ଏହା ବଣ୍ଟାଯାଇଛି। ପ୍ରାୟ ୪୦ ଜଣ ଲୋକଙ୍କୁ ଏହି କିଟ ବଣ୍ଟା ଯାଇଥିଲା। ଏଥିସହିତ ବୁଗିନ ହା ଶିକ୍ଷା କେନ୍ଦ୍ର ଛାତ୍ରଛାତ୍ରୀଙ୍କ ସହିତ ଖ୍ରୀଷ୍ଟମାସ ପାଳନ କରିଥିଲେ କର୍ମକର୍ତ୍ତା। ବାଲକୋର ନିର୍ଦ୍ଦେଶକ ତଥା ଅଟଳ ଇନକ୍ୟୁବେଶନ ସେଣ୍ଟର ଡିଜି ତପନ କୁମାର ଚାନ୍ଦ ଓ ପ୍ରୀତି ଚାନ୍ଦ ଏହି ଅବସରରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଏକ ଆକର୍ଷଣୀୟ ନୃତ୍ୟର ପରିବେଷଣ କରାଯାଇଥିଲା। ବୁଗିନ ହା’ର ସଂଯୋଜକ ସବିତା ପଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ, ନାଲକୋର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ, ସୁଯୋଗର ସମ୍ପାଦକ ତଥା ୱାଲେଟ ଫର ୱେଲଥର ପରିଚାଳନା ନିର୍ଦ୍ଦେଶକ ତ୍ରିନାଥ ଲେଙ୍କା, ବେଦାନ୍ତର ପୂର୍ବତନ ଭିପି ଜେ କେ ମହାନ୍ତି ପ୍ରମୁଖ ଏହି ମହାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ସମାଜର ଅବହେଳିତ ଓ ନିଷ୍ପେସିତ ବର୍ଗର ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ ସହିତ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଏହି ସୁଯୋଗ ଫାଉଣ୍ଡେସନ ଗଠନ କରାଯାଇଛି। ଏହା ମଧ୍ୟରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି ଏହି ସଂସ୍ଥା।