ଦିଲ୍ଲୀ ସରକାରଙ୍କ ନୂଆ ଆଦେଶ: ବ୍ରିଟେନ୍ ଫେରନ୍ତା ଯାତ୍ରୀଙ୍କ ହେବ RT-PCR ଟେଷ୍ଟ, ଯାତ୍ରୀ ବହନ କରିବେ ଖର୍ଚ୍ଚ

ନୂଆଦିଲ୍ଲୀ: ଦୀର୍ଘ ନଅ ମାସ ପରେ ଦେଶରେ କୋରନା ସଂକ୍ରମଣ କମିବାରେ ଲାଗିଛି। କିନ୍ତି କିଛି ରାଜ୍ୟରେ ନୂଆ ଷ୍ଟ୍ରେନ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି କେନ୍ଦ୍ର ସରକାର ବିମାନ ଉଡ଼ାଣ ଉପରେ ରୋକ ଲଗାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସରକାର ସୂଚନା ଦେଇଥିଲେ ଯେ, ଜାନୁଆରୀ ୮ ତାରିଖରୁ ବ୍ରିଟେନ-ଭାରତ ମଧ୍ୟରେ ବିମାନ ଚଳାଚଳ କରିବ। ଏହାକୁ ନଜରରେ ରଖି ଦିଲ୍ଲୀର କେଜ୍ରିଓ୍ବାଲ ସରକାର ସଜାଗ ରହିବା ସହ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ୟୁକେରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ। ସମସ୍ତ ଆରଟିପିସିଆର ହେବ। ଏଥିସହିତ ଏହି ଟେଷ୍ଟ କରିବାକୁ ହେଉଥିବା ଖର୍ଚ୍ଚର ଟଙ୍କା ଯାତ୍ରମାନେ ଭରଣ କରିବେ ବୋଲି ସୂଚନା ରହିଛି। ଦିଲ୍ଲୀ ସରକାର ଆହୁରି କହିଛନ୍ତି ଯେ, ଆରଟିପିସିଆର ଟେଷ୍ଟରେ ଯେଉଁ ଯାତ୍ରୀମାନେ କୋଭିଡ ପଜିଟିଭ ଚିହ୍ନଟ ହେବେ ସେମାନଙ୍କୁ ଏକ ଅଜ୍ୟ ଇଣ୍ଟିଷ୍ଟୁଶନାଲ ଆଇସୋଲେସନ ଫ୍ୟାସିଲିଟିରେ ରଖାଯିବ।
ସେଠାରେ ଯେଉଁ ଯାତ୍ରୀମାନେ ନେଗେଟିଭ ଚିହ୍ନଟ ହେବେ ସେମାନଙ୍କୁ ଅନିବାର୍ଯ୍ୟ ଭାବେ ୭ ଦିନ କ୍ବାରାଣ୍ଟିନରେ ରଖାଯିବ ବୋଲି ସୂଚନା ରହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଟୁଇଟ କରି କହିଛନ୍ତି ଯେ, ବ୍ରିଟେନ୍ରୁ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ରୁ ଦିଲ୍ଲୀବାସୀଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।