Odisha Link
Bridging the Missing Links in Odisha

୧୧ ବର୍ଷ ପରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

ଭୁବନେଶ୍ବର: ୨୦୧୦ ଜାନୁଆରୀ ପରେ ଅର୍ଥାତ୍‌ ପ୍ରାୟ ୧୧ ବର୍ଷ ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଳିଛି ହତ୍ୟା ଧମକ। ଯାହାକୁ ନେଇ ରାଜ୍ୟରେ ଲାଗି ରହିଛି ଚର୍ଚ୍ଚା।ନୂଆବର୍ଷ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୂୁ ମିଳିଛି ହତ୍ୟା ଧମକ। ମିଳିଥିବା ସୂଚନା ମୁତାବିକ ଏଥିପାଇଁ ମଧ୍ୟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏହି ଷଡ଼ଯନ୍ତ୍ରରେ ପେସାଦାର ସୁପାରି କିଲର୍‌ଙ୍କୁ ନିୟୋଜିତ ଅଛନ୍ତି। ନବୀନଙ୍କୁ ହତ୍ୟା କରିବା ଲାଗି ବାରମ୍ବାର ପିଛା କରୁଛନ୍ତି। ସୁଯୋଗ ମିଳିଲେ, ହତ୍ୟା କରିବେ। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏକେ-୪୭, ସ୍ବୟଂଚାଳିତ ପିସ୍ତଲ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଭୁବନେଶ୍ବରରେ ପହଞ୍ଚି ସାରିଛି।

ସୂଚନାଥାଉକି, ଗତ ୪ ତାରିଖରେ ଏଭଳି ଏକ ଚିଠି ନବୀନ ନିବାସରେ ପହଞ୍ଚିଛି। ଚିଠି ସିଧା ମୁଖ୍ୟମନ୍ତ୍ରୀଙ୍କୁ ଇଂରାଜୀରେ ଲେଖାଯାଇଛି। ଚିଠିରେ କେତେକ ସୁପାରି କିଲର୍‌ ନବୀନଙ୍କୁ ହତ୍ୟା କରିବା ପାଇଁ ଷଡ଼୍‌ଯନ୍ତ୍ର କରୁଥିବା ନେଇ ଉଲ୍ଲେଖ ରହିଛି। ସେମାନେ ସମସ୍ତେ ପେସାଦାର ଅପରାଧୀ। ସେମାନଙ୍କ ନିକଟରେ ଏକେ-୪୭, ସ୍ବୟଂଚାଳିତ ପିସ୍ତଲ ରହିଛିବୋଲି ଚିଠିରେ ଉଲ୍ଲେଖ ରହିଛି। ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ ମହାରାଷ୍ଟ୍ର ଵାଘାପୁରର ହୋଇଥିବା ବେଳେ ସେ ବ୍ୟବହାର କରୁଥିବା ଗାଡ଼ିର ନମ୍ବର(ଏମ୍ଏଚ୪୯-ବିକେ-୫୨୯୫) ବୋଲି ଚିଠିରେ ଉଲ୍ଲେଖ ରହିଛି। ଏହି ଗାଡ଼ିରେ ଅସ୍ତ୍ରଶସ୍ତ୍ର ଅଣାଯାଇଛି। ସେହିପରି ଅନ୍ୟ ଦୁଇଟି ଗାଡ଼ି(ନଂ ଓଡି୦୨-ଏସି-୪୫୨୫ ଓ ଓଡ଼ି୦୫-ଏସି-୮୭୦୧)ରେ ଅପରାଧୀମାନେ ବୁଲୁଛନ୍ତି। ଯେକୌଣସି ମୁହୂର୍ତ୍ତରେ ହତ୍ୟା କରିପାରନ୍ତି। ତେଣୁ ସତର୍କ ରହିବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ଏହି ଚିଠି ଓଡ଼ିଶାରୁ ଲେଖା ଯାଇଥିବା ଅନୁମାନ କରାଯାଉଛି। ଅଧିକ ତଥ୍ୟ ଜାଣିବା ଲାଗି ଚିଠିକୁ ଫୋରେନସିକ୍ ଲାବରେଟୋରିକୁ ପଠାଯିବ ବୋଲି ସୂଚନା ମିଳିଛି। ସେହିପରି ଚିଠିରେ ଦିଆ ଯାଇଥିବା ପ୍ରାୟ ୧୮ଟି ଗାଡ଼ିର ନମ୍ବରକୁ ଯାଞ୍ଚ କରାଯାଉଛି।

ଅପରପକ୍ଷେ ଏହି ଚିଠିଟିକୁ ବେନାମୀ ବୋଲି କୁହାଯାଉଛି। ଏହାସତ୍ତ୍ବେ ଗୃହ ବିଭାଗ ଏହାକୁ ଗୁରୁତ୍ବର ସହ ନେଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି ଚିଠି କିଏ ପଠାଇଛି? କେଉଁଠୁ ଆସିଛି? ତାହା ଜାଣିବା ଲାଗି ପୁଲିସ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ ଓ ପୁଲିସ କମିସନରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା। ନିର୍ଦ୍ଦେଶ ମିଳିବା ପରେ ପୁଲିସ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିସନରେଟ ପୁଲିସ ଘଟଣାର ଭିତିରିଆ ତଦନ୍ତ ଆରମ୍ଭ କରି‌‌‌ ତନାଘନା ଚଳାଇଛି।

ସୂଚନାଥାଉକି, ୨୦୧୦ ଜାନୁଆରୀ ୨୫ ତାରିଖରେ ନବୀନ ପଟ୍ଟନାୟକଙ୍କ ଅଫିସିଆଲ ମେଲ୍ ଆଇଡିକୁ ଏକ ଧମକପୂର୍ଣ୍ଣ ଚିଠି ଆସିଥିଲା। ଶୁଭଶ୍ରୀ ଦାସ ନାମ୍ନୀ ଜଣେ ମହିଳା ମାଓବାଦୀଙ୍କୁ ମୁକ୍ତ ନ କଲେ, ଜାନୁଆରି ୨୬ ସାଧାରଣତନ୍ତ୍ର ଦିବସ ସକାଳ ଦେଖିପାରିବେ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା। କମିସନ‌ରେଟ୍‌ ପୁଲିସ୍‌ ଏହି ଘଟଣାର ତଦନ୍ତ କରି ପୁରୀ ଜିଲ୍ଲା ଅସ୍ତରଙ୍ଗର ପ୍ରତାପ ବେହେରାଙ୍କୁ ଗିରଫ କରିଥିଲା। ସମ୍ପର୍କୀୟ ଭାଇଙ୍କ ସହ ବିବାଦରୁ ତାଙ୍କ ମେଲ୍ ଆଇଡି ପାସ୍‌ଵାର୍ଡ ଚୋରି କରି ପ୍ରତାପ ଏହି ମେଲ୍ ପଠାଇଥିଲେ ବୋଲି ପୁଲିସ୍‌ କହିଥିଲା।

Comments are closed.