ଯାଜପୁର: ଯୁବତୀଙ୍କୁ ବିବାହ କଲେ ଯୁବତୀ, ଲୋଡ଼ିଲେ ପୁଲିସ ସହାୟତା

ଯାଜପୁର: ଯୁବତୀଙ୍କୁ ବିବାହ କଲେ ଯୁବତୀ। କିନ୍ତୁ ଏବେ ଏହି ସମଲିଙ୍ଗୀ ଦମ୍ପତି ନିଜ ସୁରକ୍ଷା ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ଶୁଭଲକ୍ଷ୍ମୀ ପତି (୨୨ ବର୍ଷ) ଓ ଲଷ୍ମୀପ୍ରିୟା ମିଶ୍ର (୨୧ ବର୍ଷ) ପରସ୍ପରକୁ ଭଲ ପାଇବା ପରେ ବିବାହ କରିଛନ୍ତି। ମାତ୍ର ଉଭୟଙ୍କ ପରିବାର ତରଫରୁ ସେମାନଙ୍କୁ ହତ୍ୟା ଧମକ ମିଳୁଛି।
ଦୁଇଜଣ ପ୍ରାପ୍ତ ବୟସ୍କ ପରସ୍ପର ସହମତିରେ ଏକାଠି ରହିବାକୁ ମାନ୍ୟତା ଦେଇଛି ସୁପ୍ରିମ୍ କୋର୍ଟ। ମାତ୍ର ଏହି ଦମ୍ପତିଙ୍କୁ ତାଙ୍କ ପରିବାର ସ୍ୱୀକୃତି ଦେଉନାହିଁ। ସୂଚନା ମୁତାବକ, ଦୀର୍ଘ ଦୁଇ ବର୍ଷ ଧରି ଉଭୟ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ପରେ ଦୁହେଁ ଜାନୁଆରୀ ୨ ତାରିଖରେ ପ୍ରଥମେ ମନ୍ଦିରରେ ଓ ତା’ପରେ କୋର୍ଟରେ ବିବାହ କରିଛନ୍ତି। ଏବେ ନିଜର ସୁରକ୍ଷା ଓ ନ୍ୟାୟ ପାଇଁ ଏହି ସମଲିଙ୍ଗୀ ଦମ୍ପତି ଦାନଗଦି ଫାଣ୍ଡିରେ ଆଶ୍ରୟ ନେଇଛନ୍ତି।
ଲଷ୍ମୀପ୍ରିୟା ମିଶ୍ର କହିଛନ୍ତି, ‘‘ଆମେ ପରସ୍ପର ସହିତ ଖୁବ୍ ଖୁସିରେ ଅଛୁ । ସମଲିଙ୍ଗୀ ବିବାହକୁ ସୁପ୍ରିମ୍ କୋର୍ଟ ବି ମାନ୍ୟତା ଦେଇଛନ୍ତି । ତେଣୁ କେଉଁଠି କିଛି ଅସୁବିଧା ନାହିଁ । ହେଲେ ଆମ ପରିବାର ଲୋକେ ଏ ପର୍ଯ୍ୟନ୍ତ ବୁଝୁନାହାନ୍ତି ଓ ଆମକୁ ହଇରାଣ କରୁଛନ୍ତି।’’
ଶୁଭଲଷ୍ମୀ ପତି କହିଛନ୍ତି, ‘‘ଆମ ପରିବାର ଏବେ ଆମକୁ ଜୀବନରୁ ମାରିଦେବେ ବୋଲି କହୁଛନ୍ତି। ଆମେ ନିଜ ଜୀବନ ପ୍ରତି ବିପଦ ଅଛି ବୋଲି ଅନୁଭବ କରୁଛୁ ଓ ପୋଲିସ ଠାରୁ ସୁରକ୍ଷାର ଗୁହାରୀ କରୁଛୁ। ଆମେ ତ ଉଭୟ ସାବାଳକ। ତେଣୁ ଆମକୁ ଆମ ବାଟରେ ଛାଡ଼ି ଦିଆଯିବା ଉଚିତ।’’
ଶୁଭଲକ୍ଷ୍ମୀ ପତି ଜଖପୁରା ଥାନା ଅନ୍ତର୍ଗତ ରାବଣା ଗ୍ରାମର ଶ୍ରୀଧର ପତିଙ୍କ ଝିଅ। ସେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସିକ୍ୟୁରିଟି ଗାର୍ଡ଼ ଭାବେ କାର୍ଯ୍ୟ କରନ୍ତି। ଲଷ୍ମୀପ୍ରିୟା ମିଶ୍ର କୋରେଇ ଥାନା ଅନ୍ତର୍ଗତ ଚାନ୍ଦମା ଗ୍ରାମର ସୁରେନ୍ଦ୍ର ମିଶ୍ରଙ୍କ ଝିଅ।