Odisha Link
Bridging the Missing Links in Odisha

ଇଣ୍ଡୋନେସିଆରେ ଭୂକମ୍ପ: ୭ ମୃତ, ଶତାଧିକ ନିଖୋଜ

ଜାକର୍ତ୍ତା: ଇଣ୍ଡୋନେସିଆ ସୁଲାୱେସି ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂକମ୍ପ ଝଟକା। ଭୂକମ୍ପରେ ବହୁ ଅଟ୍ଟାଳିକା ଓ ପ୍ରତିଷ୍ଠାନ ଭୁଶୁଡ଼ି ପଡ଼ିଛି। ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନା ମୁତାବକ, ଏହି ଭୂକମ୍ପର ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରହିଥିବାବେଳେ କେନ୍ଦ୍ର ସ୍ଥଳ ଉତ୍ତର ପୂର୍ବ ମାଜେନେ ସହର ଠାରୁ ୬ କମି ଦୂର ବୋଲି ଜଣାପଡ଼ିଛି। ସ୍ଥାନୀୟ ସମୟ ରାତି ୧ଟା ବେଳେ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ହଜାର ହଜାର ଲୋକ ସେମାନଙ୍କ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଦୌଡ଼ିଥିଲେ। ଭୂକମ୍ପରେ ୬୦ରୁ ଅଧିକ ଘର ମାଟିରେ ମିଶି ଯାଇଛି। ଭୂକମ୍ପର ଝଟକା ୭ ସେକେଣ୍ଡ ଯାଏ ଅନୁଭୂତ ହୋଇଥିଲେ ହେଁ ଏଯାଏ ସୁନାମୀ ଆସିବାର ଆଶଙ୍କା ପ୍ରକାଶ ପାଇନାହିଁ।

ପ୍ରାଥମିକ ରିପୋର୍ଟରେ ସରକାର କହିଛନ୍ତି, ଭୂକମ୍ପରେ ମାଜେନେ ସହର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୩୭ ଜଣ ଆହତ ହୋଇଛନ୍ତି। ସେହିପରି ପଡ଼ୋଶୀ ମାମୁଜୁରେ ମଧ୍ୟ ଭୂକମ୍ପରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଏକାଧିକ ଆବାସିକ ବିଲଡିଂ ସହ ଦୁଇଟି ହୋଟେଲ, ରାଜ୍ୟପାଳଙ୍କ ଅଫିସ ଓ ଗୋଟିଏ ମଲ ମଧ୍ୟ ଭୂକମ୍ପ ଝଟକାରେ କ୍ଷତିଗ୍ରସ୍ତ ହୋଇଛି। ମାମୁଜୁକୁ ସଂଯୋଗ କରୁଥିବା ଗୋଟିଏ ବ୍ରିଜ ଭୁଶୁଡ଼ି ପଡ଼ିବାରୁ ଏଠାରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହାପୂର୍ବରୁ ଗୁରୁବାର ମଧ୍ୟ ଏଠାରେ ୫.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିରେ ମଧ୍ୟ ଏକାଧିକ ଘର କ୍ଷତିଗ୍ରସ୍ତ ହୋଇଥିଲା।

Comments are closed.