Odisha Link
Bridging the Missing Links in Odisha

ପିପିଲି ଉପ ନିର୍ବାଚନ, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

ପିପିଲି: ଖୁବ ଶୀଘ୍ର ପିପିଲିରେ ହେବ ଉପନିର୍ବାଚନ। ପିପିଲି ଉପନିର୍ବାଚନ ତାରିଖ ଘୋଷଣା ଖୁବ ଶୀଘ୍ର କରାଯିବ। ଏନେଇ ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ସୂଚନା ଦେଇଛନ୍ତି। କୋଭିଡ୍ ଗାଇଡଲାଇନକୁ ପାଳନ କରି ନିର୍ବାଚନ ହେବ ବୋଲି ସେ କହିଛନ୍ତି।

ନିର୍ବାଚନ କମିଶନ କହିଛନ୍ତି ଯେ, ନିର୍ବାଚନ କମିଶନ ଉପ ନିର୍ବାଚନ ପାଇଁ ଅନୁମତି ଦେଇ ସାରିଛନ୍ତି। ଅତିଶୀଘ୍ର ତାରିଖ ଘୋଷଣା କରାଯିବ। କୋଭିଡ୍ ନିୟମ ପାଳନ କରି ସମସ୍ତ ମତଦାନ ପ୍ରକ୍ରିୟା ହେବ। ପ୍ରତି ବୁଥରେ ୧୦୦୦ ଜଣ ଭୋଟର ଭୋଟ୍ ଦେବେ।

ତେବେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରତିକ୍ରିୟା ପରେ ପିପିଲି ଉପ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଏହି ଆସନରୁ ବିଧାୟକ ଥିଲେ ପ୍ରଦୀପ ମହାରାଥୀ। ମହାରାଥୀଙ୍କ ମୃତ୍ୟୁ ପରେ ଆସନ ଖାଲି ପଡିଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏଠାରେ ନିଜର ଅଙ୍କକଷା ଆରମ୍ଭ କରିଦେଇଛନ୍ତି।

ଏବେସୁଦ୍ଧା କୌଣସି ଦଳ ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ବିଜେଡି ପକ୍ଷରୁ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରାର୍ଥୀ ହୋଇପାରନ୍ତି। କାରଣ ସେ ନିଜେ କିଛି ଦିନ ତଳେ ସୁଯୋଗ ମିଳିଲେ ନିର୍ବାଚନ ଲଢିବେ ବୋଲି କହିଥିଲେ। ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଥିଲେ ଯେ, ଉପ-ନିର୍ବାଚନରେ ଲଢିବାକୁ ସୁଯୋଗ ମିଳିଲେ ସେ ଖୁସି ହେବେ। ନିର୍ବାଚନ ଏକ ପ୍ରକ୍ରିୟା। ଦଳ ଯାହା ନିଷ୍ପତ୍ତି ନେବ, ସେଥିରେ ସେ ରାଜି ହେବେ। ନିର୍ବାଚନ ପାଇଁ ଦଳର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ରହିଥାଏ। ତେଣୁ ଆଗୀମ ଦିନରେ ଦଳ ଯାହା ନିଷ୍ପତ୍ତି ନେବ, ତାହାକୁ ସେ ସ୍ୱାଗତ କରିବେ ବୋଲି କହିଥିଲେ।

Comments are closed.